କେନାଲରେ ବୁଡ଼ି ଯୁବକ ମୃତ
ଅନୁଗୁଳ : କେନାଲରେ ଗାଧୋଇବା କାଳ ହେଲା । ପାଣିରେ ବୁଡ଼ି ଯୁବକ ମୃତ । ଏଭଳି ଏକ ଘଟଣା ଅନୁଗୁଳ ଜିଲା ଡେରେଜାଙ୍ଗ ଡ୍ୟାମରୁ ବାହାରିଥିବା ଏକ କେନାଲରେ ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଅବିନାଶ ତ୍ରିପାଠୀ(୨୫)।
ସୂଚନା ଯେ, ଅନୁଗୁଳ ସହର ହାଉସିଂ ବୋର୍ଡ ନିକଟରେ ରହୁଥିବା ଅବିନାଶ ରବିବାର ଦିନ ବେଳା କେତେଜଣ ସାଙ୍ଗଙ୍କ ସହ ଡେରେଜାଙ୍ଗ ଡ୍ୟାମକୁ ବୁଲିବାକୁ ଆସିଥିଲେ। ଏଠାରେ ଥିବା କେନାଲରେ ସେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନେ ଅବିନାଶଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ହୋଇ ପାରି ନଥିଲେ। ସେମାନେ ଏହି ଘଟଣା ସମ୍ପର୍କରେ ଅନୁଗୁଳ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଯୁବକକୁ ଖୋଜାଖୋଜି କରିଥିଲା। ତେବେ ଅପରାହ୍ନ ୪ଟା ବେଳେ କେନାଲ ମଧ୍ୟରୁ ଅବିନାଶଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।
