ଟିକାକରଣକୁ ପୁରିଲା ବର୍ଷେ! କେମିତି ଥିଲା ଅଭିଯାନ, ନେଲେଣି ୧୫୬ କୋଟିରୁ ଅଧିକ ଡୋଜ୍ ଟିକା
ନୂଆଦିଲ୍ଲୀ: ଆଜିଠାରୁ ଠିକ୍ ବର୍ଷେ ପୂର୍ବେ ବିଶ୍ୱର ସର୍ବବୃହତ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ମହାମାରୀ କୋରୋନା ଠାରୁ ଦେଶର ପ୍ରାୟ ୧୩୮ କୋଟି ଜନତାଙ୍କୁ ସୁରକ୍ଷା ଦେବାକୁ ୧୬ ଜାନୁଆରୀ ୨୦୨୧ରେ ଭାରତ ସରକାର ଏକ ବଡ ଚ୍ୟାଲେଞ୍ଜିଂ ଯାତ୍ରା ଆରମ୍ଭ କରିଥିଲା। କାରଣ ଏହି ଦିନ ହିଁ ଦେଶରେ କୋରୋନା ବିରୋଧି ଟିକାକରଣ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ ଟିକା ଅଭିଯାଚାଲିଛି। ତାହା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ଜନସଂଖ୍ୟାର ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ, ୬୦ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଓ ୪୨ ଲକ୍ଷ ଲୋକ ( ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ଅସୁରକ୍ଷିତ ବ୍ୟକ୍ତି) ଙ୍କୁ ବୁଷ୍ଟର ବା ତୃତୀୟ ଡୋଜ୍ ଟିକା ଦିଆଯାଉଛି।
ଦେଶରେ ୧୬ ଜାନୁୟାରୀ ୨୦୨୧ରେ ପ୍ରଥମ କୋରୋନା ଟିକା ଦିଆଯିବା ପରଠାରୁ ଅନେକ ଘଟଣା ଘଟିଛି। ବିଭିନ୍ନ ସମୟରେ ଦେଶ ଉଭୟ ଟିକା ଦ୍ୱନ୍ଦ୍ୱ ଏବଂ ଟିକା ଅଭାବର ମୁକାବିଲା କରିଛି। ପର୍ଯ୍ୟାୟକ୍ରମେ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଭାରତରେ ୧୫୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଏଥିମଧ୍ୟରୁ ୯୦ କୋଟିରୁ ଅଧିକ ପ୍ରଥମ ଡୋଜ, ୬୫ କୋଟି ଦ୍ୱିତୀୟ ଡୋଜ ଏବଂ ୪୨ଲକ୍ଷକୁ ‘ସତର୍କତା ଡୋଜ’ ବା ତୃତୀୟ ଡୋଜ ନେଇଛନ୍ତି। ଗତ ବର୍ଷେ ମଧ୍ୟରେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଆଠଟି କୋଭିଡ ଟିକାକୁ ଭାରତ ସରକାର ଅନୁମୋଦନ ଦେଇଛନ୍ତି। ସେଗୁଡ଼ିକ ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ, କୋଭାଭାକ୍ସ, ଭାରତ ବାୟୋଟେକର କୋଭାକ୍ସିନ, ଋଷର ସ୍ପୁଟନିକ-ଭି, ମଡର୍ଣ୍ଣା, ଜନସନ ଏବଂ ଜନସନଙ୍କ ଏକକ-ଡୋଜ ଟିକା, ଜାଇଡସ୍ କାଡ଼ିଲାର ଜାଇକୋଭ୍-ଡି ଏବଂ ବାୟୋଲୋଜିକାଲ-ଇର କର୍ବେଭାକ୍ସ।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଏବଂ ସ୍ୱଦେଶୀ ଭାବରେ ବିକଶିତ କୋଭାକ୍ସିନ ଭାରତର ଟୀକାକରଣ ଡ୍ରାଇଭ୍ର ମେରୁଦଣ୍ଡ ପାଲଟିଛି। ଦେଶରେ ଚାଲିଥିବା ମାଗଣା ଟିକା ଅଭିଯାନରେ ଏହି ଉଭୟ ଟିକା ବ୍ୟବହାର କରାଯାଉଛି। ଘରୋଇ ହସ୍ପିଟାଲରେ ମଧ୍ୟ କୋଭିସିଲ୍ଡ ଓ କୋଭାକ୍ସିନ (ଉଭୟ ଦେୟଯୁକ୍ତ) ଉପଲବ୍ଧ। ଭାରତରେ ସରକାରୀ ଟିକା ଅଭିଯାନରେ ସ୍ପୁଟନିକ-ଭି ମାନ୍ୟତା ପାଇବାରେ ବିଫଳ ହୋଇଛି। କିନ୍ତୁ ଘରୋଇ ହସ୍ପିଟାଲରେ ଉପଯୁକ୍ତ ଦେୟରେ ଏହି ଟିକା ଉପଲବ୍ଧ ହେଉଛି। ସେପଟେ ଜାଇକୋଭ୍-ଡିର ଟିକାକରଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏହି ସମୟ ମଧ୍ୟରେ କୌଣସି ଚୁକ୍ତି ହୋଇ ନ ଥିବାରୁ ମଡର୍ଣ୍ଣା ଭାରତୀୟ ବଜାରରେ ପ୍ରବେଶ କରିପାରିନାହିଁ।
ସୂଚନା ଯେ, ୧୬ ଜାନୁଆରୀ ୨୦୨୧: ଫ୍ରଣ୍ଟଲାଇନ ଏବଂ ସ୍ୱାସ୍ଥ୍ୟକର୍ମୀ। ୧ ମାର୍ଚ୍ଚ ୨୦୨୧: ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫-୬୦ ବର୍ଷ ବୟସର ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତି। ୧ ଏପ୍ରିଲ୍ ୨୦୨୧: ୪୫ ବର୍ଷରୁ ଅଧିକ ବୟସ୍କ। ୧ ମଇ ୨୦୨୧ : ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କ। ନଭେମ୍ବର ୨୦୨୧: ଶତପ୍ରତିଶତ ପ୍ରଥମ ଡୋଜ୍ କଭରେଜ୍ ହାସଲ କରିବାକୁ ସରକାର ହର ଘର ଦସ୍ତକ (ଦ୍ୱାରରୁ ଦ୍ୱାର) ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ। ୩ ଜାନୁୟାରୀ ୨୦୨୨: କିଶୋର ବୟସ୍କ (୧୫ରୁ ୧୮ ବର୍ଷ)। ୧୦ ଜାନୁୟାରୀ ୨୦୨୨: ଫ୍ରଣ୍ଟଲାଇନ୍ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ଅସୁରକ୍ଷିତ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍।
