ବାଲେଶ୍ୱର : ଇମାମୀରୁ ଛଟେଇ ହୋଇଥିବା ଶ୍ରମିକର ଉନ୍ମତ କାଣ୍ଡ, ୪ ଆହତ
ବାଲେଶ୍ୱର : ବାଲେଶ୍ଵର ଜିଲା ରେମୁଣା ବାଳଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମି ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଇଛି । ବୁଧବାର ମଧ୍ୟାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଇମାମୀ କାରଖାନା ଭିତରେଥିବା ପ୍ରଶାସନିକ କୋଠାରେ ପଶି ଜଣେ ଛଟେଇ ହୋଇଥିବା ଶ୍ରମିକ ଉନ୍ମତ କାଣ୍ଡ ଘଟାଇଛି । ହାତରେ ଏକ ଅଢ଼େଇ ଫୁଟିଆ ଖଣ୍ଡା ନେଇ କାରଖାନାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କୋଠାରେ ଆତଙ୍କ ସୃଷ୍ଟି କରିଥିଲା । ଉପସ୍ଥିତ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବାକୁ ଉଦ୍ୟମ କରିଥିଲା । ତାକୁ ରୋକିବାକୁ ଚେଷ୍ଟା କରି କାରଖାନାର ତିନି ବରିଷ୍ଠ ପରିଚାଳକଙ୍କ ସମେତ ୪ଜଣ ଆହତ ହୋଇଛନ୍ତି । ଘଟଣା ପରେ ଇମାମୀ କାରଖାନା ପରିସରରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଅପରାହ୍ଣରେ କାରଖାନାରୁ ଛଟେଇ ହୋଇଥିବା ଶ୍ରମିକ ସୁରେନ୍ଦ୍ର ଜେନା ହାତରେ ଏକ ଖଣ୍ଡା ନେଇ ପ୍ରଶାସିନକ ଅଫିସରରେ ପ୍ରବେଶ କରିଥିଲା । ମୋତେ ଚାକିରୀ ଲେଟର ଦିଅ, ନହେଲେ ଜୀବନ ନେଇଯିବି କହି ଧସେଇ ପଶିଥିଲା । ପାଟିତୁଣ୍ଡ କରିବା ସହିତ ଖଣ୍ଡା ଉଂଚାଇ ଗୋଡ଼ାଇଥିଲା । ସେହି ସମୟରେ କାରଖାନାର ମୁଖ୍ୟ ସଂଚାଳକ ଏମବିଏସ ନାୟାର, ପରିଚାଳନା ନିର୍ଦ୍ଦେଶକ ସୁଶିଲ ଖୈତାନ, ସଭାପତି ଆଶିଷ ଗୁପ୍ତା ପ୍ରମୁଖ ଅଫିସରେ ଉପସ୍ଥିତଥିଲେ । ସୁରେନ୍ଦ୍ର ହାତରେ ଧରିଥିବା ଖଣ୍ଡାରେ ଶ୍ରୀ ଖୈତାଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ରକ୍ଷା କରିବାକୁ ଏବଂ ଅଫିସ କର୍ମଚାରୀ ବେଣୁଧର ରାଉଳ ଅଟକାଇବାକୁ ଚେଷ୍ଟା କରିବାବେଳେ ତାଙ୍କ ବାମ ହାତ ବାହୁରେ ଖଣ୍ଡା ଚୋଟ ବାଜିଥିଲା । ତାଙ୍କୁ ତୁରନ୍ତ ଇମାମୀ ପରିସରରେ ପ୍ରାଥମିକ ଚିକିତ୍ସା କରାଯାଇ ରେମୁଣା ଡାକ୍ତରଖାନା ନିଆଯାଇଥିଲା । ଅଧିକ ଚିକିିତ୍ସା ପାଇଁ ପରେ ପୁଣି ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।
ସୂଚନା ଯେ, ୨୦୧୯ରେ ଇମାମୀ କାରଖାନାର ପାୱାର ପ୍ଲାଂଟରେ କାମକରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସୁରକ୍ଷା ଜନିତ କାରଣକୁ କେନ୍ଦ୍ର କରି ସେତେବେଳେ କାରଖାନାରେ ତୀବ୍ର ଶ୍ରମିକ ଉତେଜନା ସୃଷ୍ଟି ହୋଇଥିଲା । ସେତେବେଳେ ଅଶାନ୍ତି ସୃଷ୍ଟି କରୁଥିବା ଶ୍ରମିକଙ୍କ ମଧ୍ୟରୁ ୫ଜଣଙ୍କୁ ସସ୍ପେଣ୍ଡ କରାଯାଇଥିଲା । ସେହି ସସ୍ପେଣ୍ଡ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସୁରେନ୍ଦ୍ର ରହିଥିଲା । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ପୁନଃ ନିଯୁକ୍ତିି ପ୍ରଦାନ କରାଯାଇଥିବାବେଳେ ସୁରେନ୍ଦ୍ର ବାଦ ପଡ଼ିଥିଲା । ସୁରେନ୍ଦ୍ରର ପରିବାର ଚଳିବା ପାଇଁ ଇମାମୀ ଏକମାତ୍ର ବିକଳ୍ପ ଥିବାବେଳେ ତାକୁ ଚାକିରି ଫେରାଯାଉନଥିବାରୁ ସେ ଉତକ୍ଷୀପ୍ତ ହୋଇଥିଲା ଏବଂ ଏକ ଚରମ ନିସ୍ପତି ନେବାକୁ ପ୍ରସ୍ତୁତ ହୋଇଥିଲା ଏବଂ ଆଜି ଅପରାହ୍ଣରେ କାଣ୍ଡ ଘଟାଇଥିଲା । ଖବରପାଇ ପୁଲିସ ଉକ୍ତ ଶ୍ରମିକ ସୁରେନ୍ଦ୍ରକୁ ଥାନାକୁ ନେଇ ଅଟକ ରଖିଥିବାବେଳେ ତା ନିକଟରୁ ଖଣ୍ଡାଟି ଜବତ କରିଛି । ତେବେ ସର୍ବଦା ସତର୍କ ରହୁଥିବା ନିରାପତା କର୍ମଚାରୀଙ୍କ କବଳରୁ କାରଖାନା ପରିସରକୁ ବିନା ପରିଚୟରେ ପ୍ରବେଶ କରିବା ଅସମ୍ଭବ ହେଉଥିବାବେଳେ ଖଣ୍ଡା ନେଇ ଭିତରକୁ କିପରି ପ୍ରବେଶ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
