ମାଡାମ ତୁସାଡ୍ସ ସଂଗ୍ରହାଳୟରେ କୋହଲିଙ୍କ ମହମ ପ୍ରତିମୂର୍ତି ଉନ୍ମୋଚିତ
ଦୁବାଇ: ଦୁବାଇରେ ନୂଆ କରି ସ୍ଥାପିତ ହୋଇଥିବା ମାଡାମ ତୁସାଡ୍ସ ସଂଗ୍ରହାଳୟରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ମହମ ପ୍ରତିମୂର୍ତି ବୁଧବାର ଉନ୍ମୋଚିତ ହୋଇଛି । ଏହି ସଂଗ୍ରହାଳୟରେ ଫୁଟବଲ୍ କିବଂଦନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସି ଓ ଫର୍ମୁଲା ୱାନ୍ ଚାଳକ ଲୁଇସ୍ ହାମିଲଟନ୍ଙ୍କ ସହ ବହୁ ବିଶ୍ୱପ୍ରସିଦ୍ଧ ସେଲିବ୍ରେଟି ଏବଂ ସଫଳ ତାରକାଙ୍କ ମହମ ପ୍ରତିମୂର୍ତି ରହିଛି ।
ଏଭଳି ଏକ ସମ୍ମାନଜନକ କ୍ଲବ୍ରେ ସାମିଲ ହୋଇଥିବା କୋହଲିଙ୍କ ପ୍ରତିମୂର୍ତୀ ଭାରତୀୟ ଦଳର ସୀମିତ ଓଭର ଜର୍ସି ଓ ଉପକରଣ ପିନ୍ଧିଥିବା ଦେଖିବାକୁ ମିଳୁଛି । ଏହା ପୂର୍ବରୁ ୨୦୧୯ ଏକଦିବସୀୟ ବିଶ୍ୱକପ୍ର ଠିକ୍ ପୂର୍ବରୁ ଲଣ୍ଡନସ୍ଥିତ ମାଡାମ ତୁସାଡ୍ସର ମୁଖ୍ୟ ସଂଗ୍ରହାଳୟରେ ଅନୁରୂପ ଭାବେ କୋହଲିଙ୍କର ଏକ ମହମ ପ୍ରତିମୂର୍ତି ଉନ୍ମୋଚିତ ହୋଇଥିଲା । ଦୁବାଇର ମାଡାମ ତୁସାଡ୍ସ ସଂଗ୍ରହାଳୟରେ କୋହଲିଙ୍କ ପ୍ରତିମୂର୍ତି ସ୍ଥାପିତ ହେବାର ଫଟୋ ପଦାକୁ ଆସିବା ପରେ ତାଙ୍କ ପ୍ରଶଂସକ ଖୁସିରେ ପାଗଳ ହୋଇଯାଇଛନ୍ତି । ନିଜ ପ୍ରିୟ ତାରକା କୋହଲିଙ୍କ ପାଇଁ ସେମାନେ ଲକ୍ଷ ଲକ୍ଷ ଆବେଗଭରା ବାର୍ତା ଲେଖିଛନ୍ତି । ଜଣେ ପ୍ରଶଂସକ ଲେଖିଥିଲେ ଯେ ଏବେ ଦୁବାଇର ମାଡାମ ତୁସାଡ୍ସ ସଂଗ୍ରହାଳୟରେ କୋହଲିଙ୍କ ମହମ ପ୍ରତିମୂର୍ତି, ବିଶ୍ୱସ୍ତରୀୟ ମହାନାୟକ ହେବାର ଆଉ ଏକ କାରଣ । ଅନ୍ୟ ଜଣେ ପ୍ରଶଂସକ ଉଲ୍ଲେଖ କରିଥିଲେ ଯେ ତିନି ଜଣ ସର୍ବକାଳୀନ ଶ୍ରେଷ୍ଠ ତାରକା! ମାଡାମ ତୁସାଡ୍ସ ସଂଗ୍ରହାଳୟରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ଲିଓନେଲ ମେସିଙ୍କ ମହମ ପ୍ରତିମୂର୍ତି ।
