ପରମ୍ପରା ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ଶାଳବଣୀରେ ନିଆରା ବନ୍ଧୁମିଳନ
- ଆଦିବାସୀ ଭୂମିଜ ସମ୍ପ୍ରଦାୟଙ୍କ ପାରମ୍ପରିକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଅତିଥି
ନୀଳଗିରି : ପାରମ୍ପରିକ ମାଦଳର ତାଳେ ତାଳେ ଏବଂ ଆଦିବାସୀ ସଙ୍ଗୀତର ମୂର୍ଚ୍ଛାନାରେ ଝୁମିଲା ବଣ ପାହାଡଘେରା ଶାଳବଣି ଗାଁ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ନିକଟ ସ୍ୱର୍ଣଚୁଡ଼ ପାହାଡ଼ ଓ ତତ୍ ସଂଲଗ୍ନ ଜଙ୍ଗଲର ସ୍ୱର୍ଗୀୟ ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ବଣମୁଲକର ଗାଁ ଶାଳବଣିରେ ବହୁ ପ୍ରାଚୀନ ଭୂମିଜ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରନ୍ତି। ଏପରି ଏକ ମନମୁଗ୍ଧକର ପରିବେଷ୍ଟନିରେ ବଣଧୂଳିର ଫୁଲ ଅନୁଷ୍ଠାନ ଦ୍ଵାରା ରବିବାର ଆୟୋଜିତ ହୋଇଥିଲା ଏକ ବନ୍ଧୁ ମିଳନ ଉତ୍ସବ।
ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉକ୍ତ ଅଞ୍ଚଳରରେ ବସବାସ କରୁଥିବା ଭୂମିଜ ଆଦିବାସୀ ସଂପ୍ରଦାୟର ପାରମ୍ପରିକ ଚଳଣି, ବେଶଭୂଷା, ନୃତ୍ୟ, ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ପୁନଃରୁଦ୍ଧାର। ଏଥିସହିତ ଉକ୍ତ ସଂପ୍ରଦାୟର ମୁଖ୍ୟ ଦେବତା “ଗଟବଙ୍ଗା”ପୀଠର ଉନ୍ନତିକରଣ। ଏହି ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନ ମୋହନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଉତ୍ସବ ସ୍ଥଳକୁ ଆଦିବାସୀ ନୃତ୍ୟ ଗୀତର ତାଳେତାଳେ ଆଦିବାସୀ ରମଣୀମାନେ ପାଛୋଟି ନେଇ ପାଦ ଧୋଇଦେଇ ସଭାମଞ୍ଚରେ ବସାଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ ଯୋଗ ଦେଇଥିଲେ।ଆଦିବାସୀ ସଂପ୍ରଦାୟର ଭାଷା, ସାହିତ୍ୟ, ପରମ୍ପରା ଏବଂ ସର୍ବୋପରି ଆଦିବାସୀ ସଂପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ହୋଇପାରିଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ବୋଲି ଆୟୋଜିତ ବନ୍ଧୁମିଳନ ମଞ୍ଚରେ ମୁଖ୍ୟଅତିଥି ମତପ୍ରକାଶ କରିଥିଲେ।

ଆୟୋଜକ “ବଣ ଧୂଳିର ଫୁଲର”ର ପ୍ରତିଷ୍ଠାତା ଓଡ଼ିଶା ସରକାରଙ୍କ ଆଇନ ବିଭାଗର ଆର୍ଥିକ ଉପଦେଷ୍ଟା ତଥା ସହକାରୀ ସଚୀବ ବାସନ୍ତୀମଣି ସିଂ ଏବଂ ଅନ୍ୟତମ ପ୍ରତିଷ୍ଠାତା ସାମାଜିକକର୍ମୀ ବିଜୟ କୁମାର ଆଚାର୍ଯ୍ୟ ଉପସ୍ଥିତ ରହି ମୁଖ୍ୟଅତିଥି ଶ୍ରୀଯୁକ୍ତ ମାଝିଙ୍କୁ ପରିବେଶ ସୁରକ୍ଷା ସହିତ ଆଦିବାସୀ ସଂପ୍ରଦାୟରେ ରହିଥିବା ବାଲ୍ୟବିବାହ ଭଳି କୁପ୍ରଥା ଉପରେ ସଚେତନ ସହ ଉକ୍ତ ଅଂଚଳରେ ଥିବା ବହୁ ଆଦିବାସୀ ଦେବଦେବୀ ପୀଠ ଗୁଡ଼ିକର ପୁନରୁଦ୍ଧାର ସହ ଆର୍ଥିକ ଅନୁଦାନ ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରେଣ୍ୟଅତିଥି ଭାବେ ରାଜ୍ୟ ଔଷଧୀୟ ବୃକ୍ଷ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ରାଜ୍ୟ ବାଉଁଶ ମିଶନର ନିର୍ଦ୍ଦେଶକ ସୁଦୀପ କୁମାର ନାୟକ, ରାଜ୍ୟ ବାରକାଉସିଲର ପୂର୍ବତନ ଉପସଭାପତି ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମିଳନ କୁମାର ବଡୁ, ନାକ ଉପଦେଷ୍ଟା ତଥା ଶ୍ରୀମନ୍ଦିର କରଣୀ ସେବକ ଦିଲ୍ଲୀପ ମଙ୍ଗରାଜ, ଜାତୀୟ ଅନୁଷ୍ଠାନ”ଗୁଞ୍ଜ”ର ରାଜ୍ୟ ସଂଯୋଜକ ସୁରେଶ କୁମାର, ଟାଟା ଷ୍ଟିଲର ପରିଚାଳକ ପ୍ରଭାତ କୁମାର ଦାସ, ଔଷଧ ବିତରକ ରଞ୍ଜିତ ସାମଲ ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ମାନଙ୍କର ପାରମ୍ପରିକ ନୃତ୍ୟଗୀତରେ ସାମିଲ ରହିବା ସହିତ ସେମାନଙ୍କର ପରମ୍ପରାକୁ ଅନୁଧ୍ୟାନ କରିଥିଲେ। “ବଣଧୂଳିର ଫୁଲ”ର ମୁଖ୍ୟ ପରିଚାଳକ ବାଇଧର ସିଂ ସଭାପତିତ୍ବ କରିଥିଲେ। ଏହି ଅବସରରେ ଗୁଞ୍ଜ୍ ତରଫରୁ ୨୦ଜଣ ଆଦିବାସୀ ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।
