ସମ୍ବଲପୁରରେ ଜନ୍ମ ନେଲେ ଯୋଡ଼ା ଶିଶୁକନ୍ୟା
ସମ୍ବଲପୁର: ସମ୍ବଲପୁର ଜିଲା ସଦର ମେଡିକାଲରେ ପ୍ରଥମ ଥର ଯୋଡା ଶିଶୁକନ୍ୟା ଜନ୍ମ ନେଇଛନ୍ତି। ବିଳମ୍ବିତ ରାତିରେ ଜନ୍ମ ନେଇଥିବା ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଏସଏନସିୟୁକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସମ୍ବଲପୁର ହସ୍ପିଟାଲରେ ପ୍ରଥମ ଥର ଯୋଡା ଶିଶୁକନ୍ୟା ଜନ୍ମ ନେଇଛନ୍ତି। ସମ୍ବଲପୁର ସଦର ମେଡିକାଲରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଜଣାପଡିଛି। ଉଭୟ ଶିଶୁକନ୍ଯାଙ୍କ ହାତ, ଗୋଡ, ମୁଣ୍ଡ ଅଲଗା ରହିଥିବାବେଳେ ଛାତି ଓ ପେଟ ଯୋଡି ହୋଇ ରହିଛି। ଜନ୍ମ ବେଳେ ଶିଶୁକନ୍ୟାଙ୍କର ଓଜନ ୮୫୦ ଗ୍ରାମ ଥିବା ଜଣାପଡିଛି।
ରବିବାର ପ୍ରସବ ବେଦନା ହେବାରୁ ରେଙ୍ଗାଲି ଅଂଚଳର ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ମହିଳା ଜଣକ ଯୋଡି ହୋଇଥିବା ଶିଶୁକନ୍ଯାଙ୍କୁ ଜନ୍ମ ଦେଇଥିଲେ। ମହିଳାଙ୍କ ପରିବାର ଅତ୍ୟନ୍ତ ଗରିବ। ତେଣୁ ସେ ନବଜାତକଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଲୋଡିଛନ୍ତି। ସୂଚନା ଯେ, କନ୍ଧମାଳର ଯୋଡା ଶିଶୁ ଜଗା ବଳିଆ ଦିନେ ଚର୍ଚ୍ଚାରେ ଥିଲେ। ସରକାରଙ୍କ ସହାୟତାରେ ସେମାନଙ୍କ ମୁଣ୍ଡ ଅଲଗା କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ବଳିଆର ମୃତ୍ୟୁ ହୋଇଥିଲା। ୨୦୧୯ ଜୁଲାଇରେ ଠିକ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜିଲ୍ଲା ହସ୍ପିଟାଲରେ ଛାତି ଓ ପେଟ ଯୋଡା ଶିଶୁକନ୍ୟା ଜନ୍ମ ନେଇଥିଲେ। କିନ୍ତୁ ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।
