ବାଲେଶ୍ୱର ଜିଲାସ୍ତରୀୟ ସୁନାମୀ ମକଡ୍ରିଲ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ବ୍ଲକ ଜୟଦେବକସବା ପାହି ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ଜିଲାସ୍ତରୀୟ ସୁନାମୀ ମକଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଜିଲାର ୫ଟି ସୁନାମୀପ୍ରବଣ ବ୍ଲକ ବାଲିଆପାଳ, ବାହାନଗା, ଭୋଗରାଇ, ରେମୁଣା ଓ ବାଲେଶ୍ୱର ସଦରର ୧୫ଟି ସ୍ଥାନରେ ମଧ୍ୟ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଛି । ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫରମେସନ ସର୍ଭିସେସ (ଇନକଏସ), ହାଇଦ୍ରାବାଦର ସହଯୋଗରେ ଆୟୋଜିତ ଏହି ମକଡ୍ରିଲରେ ସୁନାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ଏବଂ ଆକଳନ କରାଯାଇଥିଲା ।
ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ମିନିଟ୍ ସମୟରେ “ଇନକଏସ” ପକ୍ଷରୁ ଡମି ସତର୍କ ସନ୍ଦେଶ ମିଳିବା ପରେ ସ୍ଥାନୀୟ ଲୋକମାନଙ୍କୁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ପକ୍ଷରୁ ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯିବା ସହ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ସୁନାମୀ ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଜନସାଧାରଣ କିପରି ନିଜ ହାତପାଆନ୍ତାରେ ଥିବା ବିଭିନ୍ନ ଉପକରଣକୁ ବ୍ୟବହାର କରି ଧନଜୀବନ, ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା ସହ ନିଜକୁ ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯାଇଥିଲା । ସେହିପରି ଆସନ୍ନପ୍ରସବା, ପ୍ରସୂତି ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଏହି ସମୟରେ କିଭଳି ଉପଯୁକ୍ତ ଯତ୍ନ ନିଆଯାଇ ସେମାନଙ୍କୁ ସୁରକ୍ଷିତ ଭାବେ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇପାରିବ ସେ ସମ୍ପର୍କିତ କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ନେଇ ଇନକଏସ ଦ୍ୱାରା ବାର୍ତ୍ତା ଜାରି କରାଯିବା ପରେ ଜନସାଧାରଣଙ୍କୁ ସେମାନଙ୍କ ଗୃହକୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦିଆଯାଇଥିଲା । ଜୟଦେବକସବା ପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିବା ସହିତ ସେ ଗୁଡ଼ିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଓସଡାମା ସହଯୋଗରେ ଅନୁଷ୍ଠିତ ଏହି ମକଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲାସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମରେ ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ବାଲେଶ୍ୱର ସଦର ବ୍ଲକ ବିଡିଓ ନରେନ୍ଦ୍ର ଖମାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସମ୍ପର୍କ”ର କର୍ମକର୍ତ୍ତା ଯୋଗ ଦେଇ ଏହି ମକଡ୍ରିଲର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଅବନୀକାନ୍ତ ଭୂୟାଁ, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
