୧୮ ବସ୍ତା ଗଞ୍ଜେଇ ସହ ଟ୍ରକ୍ ଜବତ, ଜଣେ ଗିରଫ
ଲମତାପୁଟ : କୋରାପୁଟ ଜିଲା ସାନକିଚବ ଗାଁରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। ଜବତ ଟ୍ରକରୁ ଡାଲାରୁ ୧୮ ବସ୍ତା ଗଞ୍ଜେଇ ମିଳିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ଉତ୍ତର ପ୍ରଦେଶର ରାକେଶ ।
ସୂଚନା ଯେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସର ଏକ ଟିମ୍ କନାଗାଁ ଛକ ନିକଟରେ ନାକାବନ୍ଦୀ କରି ଜଗି ରହିଥିଲା । ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକକୁ ପୋଲିସ ଅଟକାଇଥିଲା । ଟ୍ରକ୍ ଅଟକାଇ ଯାଞ୍ଚ କରିବା ବେଳେ ଡାଲାରୁ ୧୮ ବସ୍ତା ଗଞ୍ଜେଇ ବାହାରିଥିଲା। ଏହି ୧୮ଟି ବସ୍ତାରେ ପ୍ରାୟ ୫ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫୪ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ତେବେ ଟ୍ରକ ମାଲିକ ନିଜେ ଡ୍ରାଇଭିଂ କରୁଥିଲେ । ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଏହି ଗଞ୍ଜେଇ ସାନକିଚବ ଗାଁରୁ ୟୁପି ଚାଲାଣ କରୁଥିବା ସେ ସ୍ବୀକାର କରିଛନ୍ତି। ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ରାକେଶ ବୋଲି ଜଣା ପଡ଼ିଛି । ଏହି ଗଞ୍ଜେଇ କାରବାରରେ କିଛି ସ୍ଥାନୀୟ ଯୁବକଙ୍କ ସମ୍ପୁକ୍ତି ଥିବା ସନ୍ଦେହ କରାଯାଉଥିବା ନନ୍ଦପୁର ଏସଡ଼ିପିଓ କହିଛନ୍ତି ।
