ବାଲେଶ୍ୱର : କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ, ୨ ଗିରଫ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବନବିଭାଗ ପକ୍ଷରୁ ନୀଳଗିରି ବନାଞ୍ଚଳ ଅଧିନ ୧୬ନଂ. ଜାତୀୟ ରାଜପଥ ବାମପଦା ନିକଟରୁ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ କରଯାଇଛି । ଘଟଣାରେ ସମ୍ପୃକ୍ତ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରାଯାଇଛି । ଡ୍ରାଇଭର ଉତରପ୍ରଦେଶ ରାଜ୍ୟର କୁସିନଗର ଜିଲା ରାମକୋଲ କାସ୍ୟା ଥାନା ଅଧିନରେ ସାନ୍ତୁ ସିଂ (୫୦) ଓ ହେଲପର ଜଣକ ଅନୁଗୁଳ ଜିଲାର ବରୁଣ କୁମାର ସାହୁ (୪୪) ବୋଲି ଜଣାପଡ଼ିଛି ।
ସୂଚନା ଯେ, ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍ ସମ୍ବଲପୁରରୁ ଲୋଡ୍ ହୋଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ନେଇ ବିଶେଷ ସୂତ୍ରରୁ ନୀଳଗିରି ବନବିଭାଗକୁ ଖବର ମିଳିଥିଲା । ଫଳରେ ନୀଳଗିରି ରେଞ୍ଜର ମନୱାର ଖାନ ସଦଳବଳେ କର୍ମଚାରୀମାନଙ୍କୁ ଧରି ରବିବାର ରାତି ପ୍ରାୟ ୧୦ଟା ଠାରୁ ବାମପଦା ନିକଟରେ ଜଗି ରହିଥିଲେ । ସୋମବାର ଭୋର୍ ୪ଟା ସମୟରେ ଏକ ୧୨ଚକିଆ ଟ୍ରକ୍ (ନଂ. ୟୁପି-୫୩ଡିଟି-୧୫୮୯)କୁ ଧରିବାରେ ସଫଳ ହୋଇଥିଲେ । ଟ୍ରକ୍ଟିରେ ପ୍ରାୟ ୬୦କ୍ୱିଣ୍ଟାଲ କେନ୍ଦୁପତ୍ର ବୋଝେଇ ହୋଇଥିବା ବେଳେ ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ । ଏନେଇ ନୀଳଗିରି ବନବିଭାଗ ପକ୍ଷରୁ ଏକ ମାମଲା (ନଂ. ୧୩ ।୨୧-୨୨) ରୁଜୁ କରାଯାଇଛି । ସେହିପରି ଡ୍ରାଇଭର ଏବଂ ହେଲପରର ମେଡ଼ିକାଲ ପରେ କୋର୍ଟ ଚାଲାଣ କରାଯିବା ନେଇ ରେଞ୍ଜର ସୂଚନା ଦେଇଛନ୍ତି ।
