ଦ୍ୱାରଶୁଣି ଘାଟିରେ ଖସିଲା ଟ୍ରକ୍ : ଦୁଇ ମୃତ, ଜଣେ ଆହତ
ବାରିପଦା : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟିରେ ଅଘଟଣ । ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଉଛନ୍ତି ଗାଡିର ଡ୍ରାଇଭର ଓ ହେଲପର । ଆହତ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବା ବେଳେ ବୁଧବାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଘଟିଛି ଦୁର୍ଘଟଣା । ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ଯେ, ଦ୍ୱାରଶୁଣି ଘାଟିରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଚାଳକମାନଙ୍କର ସାମାନ୍ୟ ଅବହେଳା ଯୋଗୁଁ ଲୋକଙ୍କର ଧନଜୀବନକୁ କ୍ଷତି ପହଞ୍ଚାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।
