ଫେବୃୟାରୀ ୫ରୁ ବାରିପଦାରେ ଓଜେୟୁର ୨ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକଙ୍କ ସ୍ମୃତିରେ ହେବ ସେମିନାର
ଭୁବନେଶ୍ୱର : ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ବ୍ଲକର ଦୂର୍ଗମ ଅଂଚଳ ମୋହନଗିରୀର ଧରିତ୍ରୀ ସାମ୍ବାଦିକ ତଥା ଓଜେୟୁର ସକ୍ରିୟ ସଦଶ୍ୟ ସ୍ୱର୍ଗତଃ ରୋହିତ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଫେବୃୟାରୀ ୫ତାରିଖ ଉପଲକ୍ଷେ ଓଡିଶା ସାମ୍ବାଦିକ ସଂଘ (ଓଜେୟୂ) ପକ୍ଷରୁ ମୟୂରଭଂଜ ଜିଲ୍ଲାର ବାରିପଦା ଠାରେ ଏକ ରାଜ୍ୟ ସ୍ତରୀୟ ସେମିନାର ଆୟୋଜନ ସହ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ଆଜି ଭୁବନେଶ୍ୱର ପୂର୍ତବିଭାଗ ବଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଂଘର ରାଜ୍ୟ କର୍ମକର୍ତା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ଅବସରରେ, ସାରାରାଜ୍ୟରୁ ସଂଘର ରାଜ୍ୟ କାର୍ଯ୍ୟ କାରିଣୀ ସଦଶ୍ୟ ମାନେ ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ତଥା ଅନ୍ୟାନ୍ୟ ଦଶଦଫା ଦାବୀ ଉପରେ ସଂଘ ରାଜ୍ୟ ସ୍ତରରେ ଆରମ୍ଭ କରିଥିବା ଆନ୍ଦୋଳନର ଆଗାମୀ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯିବା ସହ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାର ବର୍ଗଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ଚକ୍ରରେ ସାମ୍ବାଦିକ ମାନଙ୍କ ସହିତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସଂଗଠକ ମାନଙ୍କୁ ସାମିଲ କରାଯିବା ସହିତ ଅନ୍ୟାନ୍ୟ ସାଂଗଠନିକ ନିଷ୍ପତି ମାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି । ସଂଘର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପସଭାପତି ରମଣି ରଂଜନ ଦାଶ ଏବଂ ଦୀପକ କୁମାର ନାୟକ, ସଂଗଠନ ସମ୍ପାଦକ ଦୂର୍ଯ୍ୟଧନ ମହାରଣା, ସହ ସମ୍ପାଦକ ରାଜକିଶୋର ତ୍ରିପାଠୀ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦଶ୍ୟ ଶରତ କୁମାର ବେହେରା, ମାନସ କୁମାର ଓଝା ପ୍ରମୁଖ ଉପସ୍ଥିତ ଥିଲେ ।
