ବାଲେଶ୍ୱର : ବିରଳ ପ୍ରଜାତିର ଜଙ୍ଗଲି ଜନ୍ତୁ ‘ସାଳିଆ ପତନି’ ଠାବ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନିକଟରେ ବିରଳ ପ୍ରଜାତିର ଜଙ୍ଗଲି ଜନ୍ତୁ ‘ସାଳିଆ ପତନି’ ଠାବ ହୋଇଛି । ନୀଳଗିରି ଅଞ୍ଚଳରେ ଅବସ୍ଥିତ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଲଡ଼ିହା ଅଭୟାରଣ୍ୟରେ ଭରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଝରଣା ସମେତ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥାଏ ।
ସୂଚନା ଯେ, ନୀଳଗିରି କୁଲଡ଼ିହା ଅଭୟାରଣ୍ୟର ପାଦଦେଶ ଅନ୍ତର୍ଗତ ଦେବଗିରି ପର୍ବତମାଳାର ଅଧୀନରେ ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନିକଟରେ ଗୁରବାର ଏକ ବିରଳ ପ୍ରଜାତିର ଜଙ୍ଗଲି ଜନ୍ତୁ ‘ସାଳିଆ ପତନି’କୁ ଠାବ କରାଯାଇଛି । ଏହି ଜନ୍ତୁ ଓଡ଼ିଶା ତଥା ଭାରତର ବିଶେଷ କରି ଶ୍ରୀଲଙ୍କା, ମିୟାମାର, ଥାଇଲାଣ୍ଡ, ଚୀନ, ବାଙ୍ଗଳାଦେଶ, ନେପାଳ ପ୍ରଭୁତି ଦେଶ ମାନଙ୍କରେ ଦେଖାଯାନ୍ତି । ନୀଳଗିରିର ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ଏହାକୁ ଠାବ କରି ନିଜ କ୍ୟାମେରା ଲେନ୍ସରେ କଏଦ କରିଛନ୍ତି । ବନବିଭାଗ ପକ୍ଷରୁ ଏହି ଜନ୍ତୁକୁ ସୁରକ୍ଷା ଦେଲେ କୁଳଡ଼ିହା ଅଭୟାରଣ୍ୟର ଶୋଭା ବଢ଼ାଇ ପାରିବ ବୋଲି ପରିବେଶବିତ୍ମାନେ କହୁଛନ୍ତି ।
