ବାଲେଶ୍ୱର : କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ
ବାଲେଶ୍ୱର : ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରା ବେଆଇନ କରତ କଳ ବୃଦ୍ଧି ହେବାରେ ଲାଗିଛି । ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ କରତ କଳ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି । ଫଳରେ ଚୋରା ବେପାରୀ ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।
ବାଲେଶ୍ୱର ବନଖଣ୍ଡ ଅଧିକାରୀ ବିମଳ ପସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ମନୱର ଖାଁଙ୍କ ନେତୃତ୍ୱରେ ଏକ ଟିମ୍ ରେମୁଣା ଥାନା ଅଧିନ ମୟୁରଭଞ୍ଜ ସୀମାନ୍ତ ଶିରାକୋଇଲି ଅଞ୍ଚଳରେ ବେଆଇନ କରତକଳ ଉପରେ ରବିବାର ସକାଳ ୭ଟା ସମୟରେ ଆତର୍କିତ ଚଢ଼ାଉ କରି କାଠ ସହ ଯନ୍ତ୍ରାଂଶ ଜବତ କରିଛନ୍ତି । ଏହି ଅଞ୍ଚଳରେ ବହୁ ଦିନରୁ ଏକ ତମ୍ବୁତଳେ ଚୋରା କରତ କଳ ଚାଲିଆସୁଥିଲା । ନୀଳଗିରି ବନବିଭାଗ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିଲା । ସେହିପରି ୩ଲକ୍ଷ ଟଙ୍କାର ଯନ୍ତ୍ରାଂଶ, ୫୬ ସିଫଟ୍ କାଠ ଶାଗୁଆନ, ଅକାଶିଆ, ନିମ୍ବ, କଇମ, ଆମ୍ବ ଆଦି କାଠ ଜବତ ହୋଇଥିବା ଜଣାପଡିଛି ।
