ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଗାଡ଼ି, ୧୪ ଆହତ
ନାରାୟଣପାଟଣା : କୋରାପୁଟ ଜିଲା ନାରାୟଣପାଟଣା-ବୋରଗିଘାଟିରେ ଏକ ଯାତ୍ରବାହୀ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ନାରୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି। ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।
ସୂଚନା ଯେ, ଗତ ସୋମବାର ଅପରାହ୍ଣ ସମୟରେ ଏକ ସଫାରୀରେ ଯାତ୍ରୀମାନେ ନାରୟଣପାଟଣାରୁ ଇଚ୍ଛା ଗାଁକୁ ଯାଉଥିଲେ। ବୋରଗି ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗାଡ଼ି ଉପରେ ଲୁହାକବାଟ ଲଦା ହୋଇଥିଲା। ଗାଡ଼ି ଓଲଟି ପଡ଼ିବାରୁ ଲୁହା କବାଟଗୁଡ଼ିକ ଲୋକମାନଙ୍କ ଉପରେ ପଡ଼ିଯାଇଥିଲା। ଫଳରେ କାହାର ଗୋଡ଼ ଭାଙ୍ଗିଯାଇଥିଲା ତ କିଏ ଖଣ୍ଡିଆ ଖବରା ହୋଇଯାଇଥିଲା। ଦୁଇ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
