ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବହୁଦଳୀୟ ପ୍ରତିନିଧି ଦଳ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏକ ବହୁଦଳୀୟ ପ୍ରତିନିଧି ଦଳ। ଜାତିଭିତ୍ତିକ ଜନଗଣନା ନେଇ ଆଲୋଚନା ଏବଂ ଉପଯୁକ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରି ସୋମବାର ସକାଳେ ଏହି ସାକ୍ଷାତ ଆଲୋଚନା ହୋଇଛି। ଏହି ପ୍ରତିନିଧି ଦଳରେ ‘ଆର୍ଜେଡି’ ମୁଖ୍ୟ ତଥା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ, ବିଜେପିର ଜନକ ରାମ, କଂଗ୍ରେସର ଅଜିତ ଶର୍ମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା’ର ଅଧ୍ୟକ୍ଷ ଜିତନ ରାମ ମାଞ୍ଝି।
ରିପୋର୍ଟ ଅନୁସାରେ, ନୀତୀଶ କୁମାର କହିଛନ୍ତି ଯେ, ଏ ବାବଦରେ ବିହାର ଏବଂ ସମଗ୍ର ଦେଶବାସୀ ସମାନ ମତପୋଷଣ କରୁଛନ୍ତି। ଆମ ଗୁହାରି ଶୁଣିଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆମେ କୃତଜ୍ଞ। ଏବେ ନିଷ୍ପତ୍ତି ତାଙ୍କ ହାତରେ। ସେହିପରି ତେଜସ୍ୱୀ ଯାଦବ କହିଛନ୍ତି, କେବଳ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଜାତିଭିତ୍ତିକ ଜନଗଣନା ଲାଗି ଆଜି ଆମ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲା। ଏବେ ଆମେ ଏ ସଂକ୍ରାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ସୂଚନା ଯେ, ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ବିଜେପି ନେତା ସୁଶୀଲ୍ ମୋଦୀ କହିଥିଲେ, ଜାତିଭିତ୍ତିକ ଜନଗଣନାକୁ ‘ବିଜେପି’ କଦାପି ବିରୋଧ କରେନାହିଁ। ବିଧାନସଭା ଏବଂ ପରିଷଦ୍ରେ ଏହି ପ୍ରସ୍ତାବନା ମଞ୍ଜୁର ହେବା ବେଳେ ଆମେ ଏଥିରେ ଭାଗ ନେଇଥିଲୁ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ପ୍ରତିନିଧି ଦଳରେ ବିଜେପିର ଜଣେ ପ୍ରତିନିଧି ମଧ୍ୟ ଅଛନ୍ତି।
