ଅର୍ଥ ମଞ୍ଜୁରର ଦେଢ଼ ମାସ ପରେ ଲାଗିଲା ଶିଳାନ୍ୟାସ ଫଳକ
ଔପଦା : ସ୍ୱାଧୀନତା ପୂର୍ବରୁ ଥିବା ଔପଦା ଡାକ୍ତରଖାନା ପରିସରରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ଜିଲାସ୍ତରରୁ ଅର୍ଥ ମଞ୍ଜୁରର ଦେଢ଼ ମାସ ପରେ ଡ୍ରେନ ନିର୍ମାଣ କାମର ଡାକ୍ତରଖାନା ପରିସରରେ ଶିଳାନ୍ୟାସ ଫଳକ ଲାଗିଛି । ଡାକ୍ତରଖାନା ପରିସରରୁ ବର୍ଷାପାଣି ନିଷ୍କାସନ ପାଇଁ ବାରମ୍ବାର ଖବର ପ୍ରକାଶ ପରେ ତତ୍କାଳୀନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଡାକ୍ତରଖାନାକୁ ଅନୁଧ୍ୟାନ କରିଥିଲେ ଓ ନୂଆ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅନୁମୋଦନ କ୍ରମେ ଜିଲା ମିନେରାଲ ଯୋଜନାରୁ ଡ୍ରେନ ନିର୍ମାଣ ପାଇଁ ଗତ ଅଗଷ୍ଟ ୧୨ ତାରିଖରେ କାମ ପାଇଁ ୪ଲକ୍ଷ ୨୦ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା ।
ଶିଳାନ୍ୟାସ ଫଳକରେ ଅତିଥିଙ୍କ ନାମ ଲେଖା ଛିଡୁନଥିବା ବେଳେ ମଙ୍ଗଳବାର ଡାକ୍ତରଖାନା ପରିସରରେ ଡ୍ରେନ ନିର୍ମାଣ ପାଇଁ ଅତିଥିଙ୍କ ଦ୍ୱାରା ଶିଳାନ୍ୟାସ ହୋଇଛି । ଶିଳାନ୍ୟାସରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସିବିପ୍ସା ପାତ୍ର ନିର୍ମାଣର ଶିଳାନ୍ୟାସକୁ ଉଦ୍ଘାଟନ କରିଥିଲେ । ଶିଳାନ୍ୟାସ ଉଦଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାକର ସାହୁ, ତଳକିଆ ସରପଞ୍ଚ ଦୀପ୍ତିରାଣୀ ନାୟକ, ସମିତି ସଭ୍ୟା ଉଷାରାଣୀ ନାୟକ ଉପସ୍ଥିତ ଥିବାବେଳେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ପପୁ ଭୂୟାଁ ଉପସ୍ଥିତ ରହି ଡାକ୍ତରଖାନାର ଏହି ସମସ୍ୟା ପାଇଁ ବାରମ୍ବାର ଖବର ପ୍ରକାଶ ପରେ ଜିଲାପାଳଙ୍କ ଅନୁମୋଦନ କ୍ରମେ ଏହାର ପଦକ୍ଷେପ ନିଆଯାଇଛି, ଏଥିପାଇଁ ସ୍ଥାନୀୟ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱ ରହିଛି ବୋଲି ପ୍ରକାଶ କରିଥିଲେ । ଶିଳାନ୍ୟାସ ପରେ ଡ୍ରେନ କାମକୁ ନେଇ ଛକାପଞ୍ଜା ଚାଲୁଥିବା ଜଣାଯାଉଛି । ଏହି କାମ ବିଭାଗ ଦ୍ୱାରା କରାଯିବାକୁ ବ୍ୟବସ୍ଥା ଥିବାରୁ ବିଭାଗ କୌଣସି ଚାପରେ ବଶୀଭୂତ ନ ହୋଇ ଏହି ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାର ତୁରନ୍ତ ଡ୍ରେନ ନିର୍ମାଣ କାମ ଆରମ୍ଭ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।
