ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼, କିଓସ୍କ ଭାଙ୍ଗି ଶ୍ରୀମନ୍ଦିର ପ୍ରବେଶ କଲେ ଶ୍ରଦ୍ଧାଳୁ
ପୁରୀ : କରୋନା ସଂକ୍ରମଣ ବଢ଼ିବା କାରଣରୁ ଶ୍ରୀମନ୍ଦିରରେ କଟକଣା ଆରମ୍ଭ ହୋଇଯାଇଛି । କଟକଣା ଲାଗି ସୋମବାର ଠାରୁ ସାଧାରଣ ଭକ୍ତଙ୍କ ଲାଗି ଜଗାଦର୍ଶନ ବନ୍ଦ ରହିବ । କିନ୍ତୁ ପ୍ରତି ରବିବାର ଦିନ ଜଗନ୍ନାଥ ମନ୍ଦିର ସାନିଟାଇଜ୍ କରାଯାଉଥିବାରୁ ଏହି ଦିିନରେ ମଧ୍ୟ ଭକ୍ତଙ୍କୁ ପ୍ରବେଶ ମନା ରହିଛି । ତେବେ କଟକଣା ଲାଗୁ ହେବା ପୂର୍ବରୁ ଆଜି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ସନ୍ଧ୍ୟା ସାଢ଼େ ୮ଟାରେ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତ ପ୍ରବେଶ ନିଷେଧ ନେଇ ଜାନୁଆରି ୭ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ଆସିଥିଲେ ମଧ୍ୟ ଭକ୍ତମାନେ ଏହାକୁ ଖାତିର କରି ନଥିଲେ । ଭକ୍ତମାନେ ରାତି ସାଢ଼େ ୮ଟା ପରେ ମଧ୍ୟ ବଳପୂର୍ବକ ଶ୍ରୀମନ୍ଦିର ପ୍ରବେଶ କରିଥିଲେ । କିଛି ଭକ୍ତ ବଡ଼ଦାଣ୍ଡରେ ଲାଗିଥିବା କିଓସ୍କ ଭାଙ୍ଗି ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ତେବେ ଏଠାରେ ମୁତୟନ ଥିବା ପ୍ରଶାସନ ଓ ପୁଲିସ କର୍ମଚାରୀଙ୍କ ସଂଖ୍ୟା ଭକ୍ତଙ୍କ ତୁଳନାରେ କମ୍ ଥିବାରୁ ବିଶୃଙ୍ଖଳା ପରିସ୍ଥିିତି ସୃଷ୍ଟି ହୋଇଥିଲା
ଗାଇଡଲାଇନ୍ ଅନୁସାରେ ସାଧାରଣ ଭକ୍ତଙ୍କ ପାଇଁ ଆଜି ରାତି ୮ଟା ୩୦ ଯାଏଁ ଶ୍ରୀମନ୍ଦିର ଖୋଲା ରହିବା ଥିଲା । ସହରାଂଚଳରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବାରୁ ଦର୍ଶନ ସମୟରେ ପରିବର୍ତନ କରାଯାଇଥିଲା । ପୂର୍ବରୁ ରାତି ୯ଟା ୩୦ ଯାଏଁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଥିଲେ । ଜିଲ୍ଲା ପ୍ରଶାସନ ନାଇଟ କର୍ଫ୍ୟୁ ପାଇଁ ସମୟ ପରିବର୍ତନ କରିଥିଲା । ଏନେଇ ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ସୂଚନା ଦେଇଥିଲେ । ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍ ବଢ଼ିଯିବାରୁ କଟକଣା ବଢ଼ିଛି । କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି ।
