ଗାଁ ରେ ପଶିଲା ଦନ୍ତା : ଘଉଡ଼ାଇବାକୁ ଗ୍ରାମବାସୀ ଓ ବନବିଭାଗ ରାତି ଉଜାଗର
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା, ପଶ୍ଚିମ ସିମୁଳିଆ, ଜହତା ଓ କୂଳ ଗ୍ରାମରେ ସୋମବାର ରାତିରେ ଏକ ଦନ୍ତା ହାତୀ ପଶି ଆସିବା ଫଳରେ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଏହି ଦନ୍ତାଟି ମୟୁରଭଞ୍ଜ ଜିଲାରୁ ବଡ଼ଗୁମା ଦେଇ ପଶି ଆସିଥିଲା । ଖବର ପାଇ ବନବିଭାଗ ପହଞ୍ଚି ଶତାଧିକ ଗ୍ରାମବାସୀଙ୍କ ସହଯୋଗରେ ବାଣ ଫୁଟାଇ ହାତୀଟିକୁ ଘଉଡ଼ାଇଥିଲେ ।
ଜହତା ଗ୍ରାମରୁ କୂଳ ଗାଁ ଦେଇ ନଦୀ କୂଳ ଜଙ୍ଗଲ ଆଡକୁ ଘଉଡ଼ାଇବାକୁ ଗାଁ ଲୋକ ଓ ବନ ବିଭାଗକୁ ରାତି ତମାମ ଉଜାଗର ହେବାକୁ ପଡ଼ିଥିଲା । ଜହତା ଗ୍ରାମର ଦାଶରଥି ମାଝୀଙ୍କ ଘର ଭାଙ୍ଗି ହାତୀଟି ଧାନ ଖାଇ ଯାଇଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ଗଡ଼ପଦା ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ସମୟରେ ହାତୀ ଉପଦ୍ରବ ଦେଖା ଦେଉଥିଲେ ହେଁ ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ ହେଉ ନ ଥିବାରୁ ଅସନ୍ତୋଷ ଲାଗିରହିଛି ।
