ଗୁଜୁରାଟବାସୀଙ୍କୁ ଦୀପାବଳୀର ବଡ଼ ଉପହାର; ପ୍ରତିବର୍ଷ ମାଗଣାରେ ମିଳିବ ୨ଟି ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ : ଗୁଜୁରାଟ ନିର୍ବାଚନ ପାଖେଇ ଆସିଛି । ଏହା ପୂର୍ବରୁ ସେଠାକାର ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ନୂଆ ନୂଆ ଘୋଷଣା ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ମଧ୍ୟ ଲାଗୁ କରିବାରେ ଲାଗିଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଗୁଜୁରାଟର ଲୋକଙ୍କୁ ଦୀପାବଳୀର ଏକ ବଡ଼ ଉପହାର ଦେଇଛନ୍ତି । ସରକାର ବର୍ତ୍ତମାନ ସାଧାରଣ ଜନତାଙ୍କୁ ପ୍ରତିବର୍ଷ ୨ଟି ମାଗଣା ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି ।
ଏହାସହ ଗୁଜୁରାଟ ସରକାର ସିଏନଜି ଓ ପିଏନଜି ଉପରେ ଭ୍ୟାଟ୍ ମଧ୍ୟ ହ୍ରାସ କରିଛନ୍ତି । ଶିକ୍ଷା ମନ୍ତ୍ରୀ ଜିତୁ ଭଘାନି ଏହା ଘୋଷଣା କରିଛନ୍ତି । ଦୀପାବଳୀ ପୂର୍ବରୁ ଗୁଜୁରାଟ ସରକାର ସିଏନଜି ଓ ପିଏନଜି ଉପରେ ୧୦ ପ୍ରତିଶତ ଭାଟ୍ ହ୍ରାସ କରିଛନ୍ତି । ଏହା ବ୍ୟତୀତ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ୩୮ ଲକ୍ଷ ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ଭଘାନି କହିଛନ୍ତି ଯେ, ନାଗରିକ ଓ ଗୃହିଣୀମାନଙ୍କୁ ୧,୦୦୦ କୋଟି ଟଙ୍କାର ରିହାତି ମିଳିବ । ମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ପାଇଁ ରିଲିଫ ୬୫୦ କୋଟି ଟଙ୍କା ସ୍ଥିର କରାଯାଇଛି । ସୂଚନାନୁସାରେ, ସରକାର ସିଏନଜି ଓ ପିଏନଜି ଉପରେ ଭାଟ୍ ୧୦ ପ୍ରତିଶତ ହ୍ରାସ କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ ନାଗରିକମାନେ କିଲୋଗ୍ରାମରେ ୬-୭ ଟଙ୍କାର ରିହାତି ପାଇବେ । ସେହିଭଳି ପିଏନଜିରେ କିଲୋଗ୍ରାମ ପିଛା ୫-୫.୫୦ ଟଙ୍କା ରିହାତି ମିଳିବାକୁ ଯାଉଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗୁଜୁରାଟରେ ରୋଷେଇ ଘରେ ବ୍ୟବହୃତ ସିଏନଜି ଓ PNG ଉପରେ ଭ୍ୟାଟ୍ ୧୫ ପ୍ରତିଶତ ଥିଲା । ଏହି ପରିବର୍ତ୍ତନ ପରେ ବର୍ତ୍ତମାନ ଭାଟ୍ ୬ ପ୍ରତିଶତକୁ ଖସି ଆସିଛି ।
ସେ ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ବ୍ୟାପକ ବୋଲି କହିଛନ୍ତି । ଏହାକୁ ରାଜ୍ୟ ସରକାରଙ୍କ ଦୀପାବଳୀ ଉପହାର ବୋଲି ମଧ୍ୟ ମନେ କରନ୍ତି । ଭଘାନୀ କହିଛନ୍ତି ଯେ, ଏହା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଉପକୃତ କରିବ । ପୂରା ରାଶି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଜମା ହେବ । ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିଷ୍ପତ୍ତିକୁ ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ଏକ ପଦକ୍ଷେପ ବୋଲି କୁହାଯାଉଛି । ବର୍ତ୍ତମାନ ଅହମ୍ମଦାବାଦ ସହରରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୮୩.୯ ଟଙ୍କା ରହିଛି ।
