ବାଲେଶ୍ୱରରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ଓ ସମ୍ମାନ ପ୍ରଦର୍ଶନ
ବାଲେଶ୍ୱର : ବାଲେଶ୍ୱରରେ ପହଞ୍ôଚଲା ସ୍ୱର୍ଣ୍ଣିମ ବିଜୟ ମଶାଲ । ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୟ ମଶାଲକୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ପୂର୍ବାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଭବେଶ କୁମାର ନାୟକଙ୍କ ସମେତ ପ୍ରଶାସନ ଓ ଜିଲା ପୋଲିସର ବହୁ ଅଧିକାରୀ ସମ୍ମାନ ପ୍ରଦର୍ଶନ କରିଥିଲେ । ଏକ ସୁସଜ୍ଜିତ ଗାଡ଼ିରେ ଆସିଥିବା ଏହି ବିଜୟ ମଶାଲକୁ ରିଜର୍ଭ ପୋଲିସ ପଡ଼ିଆ ସ୍ଥାୟୀ ମଞ୍ଚରେ କିଛି ସମୟ ରଖଯାଇଥିଲା । ତେବେ ଜିଲାର ବିଭିନ୍ନ ବିଭାଗ ପକ୍ଷରୁ ଓ ବିଭିନ୍ନ ବର୍ଗର ଲୋକେ ଏକ ଉଚ୍ଛ୍ୱାସିତ ପରିବେଶ ମଧ୍ୟରେ ଏହି ମଶାଲକୁ ସ୍ୱାଗତ କରିଥିଲେ । ବାଲେଶ୍ୱର ରିଜର୍ଭ ପୋଲିସର ବ୍ୟାଣ୍ଡ ସମେତ ସଂସ୍କୃତି ବିଭାଗର ଏକାଧିକ ଟ୍ରୁପ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏହି ବିଜୟ ମଶାଲକୁ ସ୍ୱାଗତ ତଥା ସମ୍ମାନ ପ୍ରଦର୍ଶନ କରିଥିଲେ । ପୋଲିସର ବ୍ୟାଣ୍ଡବାଜା ସାଙ୍ଗକୁ ଢୋଲ ମାଦଳର ଶବ୍ଦରେ ରିଜର୍ଭ ପଡ଼ିଆ ସମ୍ମୁଖ ରାସ୍ତା ପ୍ରକମ୍ପିତ ହୋଇଥିବା ବେଳେ ମାଦଲର ତାଳେ ତାଳେ ନୃତ୍ୟଙ୍ଗନାଙ୍କ ମନଲୋଭା ନୃତ୍ୟ ପରିବେଶକୁ ବେଶ ଆକର୍ଷଣୀୟ କରିଥିଲା । ସେହିପରି ଏହି ବିଜୟ ମଶାଲ ଯାତ୍ରା ରିଜର୍ଭ ପଡ଼ିଆରୁ ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ଅଭିମୁଖେ ଯାଇଥିଲା । ଏହି ଯାତ୍ରା ଯିବା ବେଳେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକମାନେ ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇ ପୁଷ୍ପ ବୃଷ୍ଟି କରିଥିଲେ ।
ଅକ୍ଟୋବର ୨୦ ତାରିଖରୁ ଏହି ବିଜୟ ମଶାଲ ଓଡିଶାର ବିଭିନ୍ନ ଜିଲା ପରିକ୍ରମା ପରେ ଶନିବାର ବାଲେଶ୍ୱରରେ ପହଞ୍ôଚଥିଲା । ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ସ୍ୱାଗତ ସମ୍ମାନ କାର୍ଯ୍ୟକ୍ରମକୁ ଜିଲା ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ଓ ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ । ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତ ଅଭୂତପୂର୍ବ ବିଜୟ ହାସଲ କରିଥିବା ବେଳେ ଏକ ସ୍ୱାଧୀନ ଦେଶ ଭାବେ ବାଂଲାଦେଶ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ଏହି ଯୁଦ୍ଧର ବିଜୟକୁ ୫୦ ବର୍ଷ ପୂରିଥିବା ବେଳେ କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟଙ୍କ ସହଯୋଗରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।


