ବଢ଼ିଲା ଅଡୁଆ ! ନୂପୁର ଶର୍ମାଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ : ବଢିଲା ନୂପୁର ଶର୍ମାଙ୍କ ଅଡୁଆ । କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ସାଇବର ୟୁନିଟ୍। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଥିବା ଅଭିଯୋଗରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ନୂପୁରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନେ ହେଉଛନ୍ତି, ବିଜେପିରୁ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ, ଲେଖିକା ସବା ନକିବ, ଶାଦବ ଚୌହାନ, ରାଜସ୍ଥାନର ମୌଲାନା ମୁଫ୍ତୀ ନଦୀମ ଓ ପୂଜା ଶକୁନ । ସମସ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଏମାନଙ୍କ ନାମରେ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଏକ ମାମଲାରେ ମିଡିଆର ବ୍ୟବହାର କରିଥିବା କିଛି ଲୋକଙ୍କ ବିରୋଧରେ ହୋଇଛି । ସେଥିରେ ଭାଜପାରୁ ବହିଷ୍କୃତ ହୋଇଥିବା ନୂପୁର ଶର୍ମାଙ୍କୁ ଅଭିଯୁକ୍ତ ବୋଲି କୁହାଯାଇଛି ।
ପ୍ରକାଶ ଥାଉ କି, ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହା ପରେ ସେ ବିବାଦରେ ପଡିଥିଲେ । ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରିଥିଲା । ସୂଚନାଯୋଗ୍ୟ ଯେ, ନୂପୁର ଶର୍ମାଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହେଇଯାଇଛି । ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରାଯାଇଛି।ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ଏହିପରିକି କାତାରର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଛି ।ବିଜେପି ସଦସ୍ୟଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ କାତାର ନିନ୍ଦା କରିଛି । ଏପରି ବ୍ୟକ୍ତିଙ୍କୁ ଦଣ୍ଡ ନ ଦେଲେ ତାହା ସମାଜରେ ହିଂସାକୁ ପ୍ରେତ୍ସାହିତ କରିବ । ମାନବ ଅଧିକାରର ସୁରକ୍ଷା ଦିଗରେ ବି ଏହା ବିପଦ ସୃଷ୍ଟି କରିବ ।

ସେହିପରି କୁଏତ ପକ୍ଷରୁ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ପ୍ରତିବାଦ କରାଯାଇଛି ।ଅନ୍ୟପକ୍ଷରେ ନୂପୁରଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ବିରୋଧରେ ସାଉଦି ଆରବ ଓ ୟୁଏଇରେ ଅସନ୍ତୋଷ ଦେଖାଦେଇଛି ।ଏହାର ପ୍ରତିବାଦରେ ଲୋକମାନେ ବିଭିନ୍ନ ସୁପରମାର୍କେଟରେ ଥିବା ଭାରତୀୟ ଉତ୍ପାଦର ବହିଷ୍କାର କରିଛନ୍ତି । ମୁସଲିମ ଗୋଷ୍ଠୀର ବିରୋଧ ତଥା କୁଏତ, କାତାର ଏବଂ ଇରାନ ଭଳି ଦେଶଗୁଡିକର ତୀବ୍ର ପ୍ରତିକ୍ରିୟା ମଧ୍ୟରେ ବିଜେପି ଏକ ବିବୃତ୍ତି ଜାରି କରି କହିଛି ଦଳ ସମସ୍ତ ଧର୍ମକୁ ସମ୍ମାନ କରୁଛି ଏବଂ କୌଣସି ଧାର୍ମିକ ବ୍ୟକ୍ତିତ୍ୱର ଅପମାନକୁ ଦୃଢ଼ ନିନ୍ଦା କରିଛୁ ବୋଲି ବିଜେପି କହିଛି।
