ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚାଯିବ ୩ ଚକିଆ ସାଇକେଲ
ବାଲେଶ୍ୱର : ବାଲେଶ୍ୱର ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଅଲିମକୋ, ଭୁବନେଶ୍ୱରର ନିରୂପଣକାରୀ ସଂସ୍ଥା ଦ୍ୱାରା ସଦର ବ୍ଲକ ପାଇଁ ଦିବ୍ୟାଙ୍ଗ ଉପକରଣ ନିରୂପଣ ଶିବିର ଅନୁଷ୍ଠିତ ହୋଇଛି । ବିଧାୟକ ସ୍ୱରୂପ କୁମାର ଦାସ ବୁଧବାର ଶିବିରକୁ ପରିଦର୍ଶନ କରି ସହର ତଥା ପଞ୍ଚାୟତରୁ ଆସିଥିବା ଦିବ୍ୟାଙ୍ଗମାନଙ୍କୁ ଯଥାଶୀଘ୍ର ପଞ୍ଜିକରଣ କରି ୩ ଚକିଆ ସାଇକେଲ ପ୍ରଦାନ ପାଇଁ ଉପସ୍ଥିତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପରାମର୍ଶ କରିଥିଲେ । ଏଥିସହ ସେମାନଙ୍କ ଘରକୁ ସେହି ସାଇକେଲ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । ଫଳରେ ଦିବ୍ୟାଙ୍ଗ ମାନେ ଘର ପାଖରେ ସେମାନଙ୍କ ସାଇକେଲ ପାଇପାରିବେ ଏବଂ ସେମାନଙ୍କୁ ଆଉ ବାଲେଶ୍ୱର ଆସିବାକୁ ପଡ଼ିବନି ।


କାର୍ଯ୍ୟକ୍ରମରେ ସଦର ବ୍ଲକ ଚେୟାରମ୍ୟାନ ସୁନିତା ବେହେରା, ୱାର୍ଡ଼ କାଉନ୍ସିଲର ଶଶୀରେଖା ମହାନ୍ତି, ବିଧାୟକଙ୍କ ନଗର ପ୍ରତିନିଧି ମନୋଜ ରାଉତ, ବ୍ଲକ ଉନ୍ନୟନ ଅଧିକାରୀ ନଗେନ୍ଦ୍ର ନାଥ ଖମାରି, ସଞ୍ଜୟ ବେହେରା, ପଞ୍ଚାୟତସ୍ତରୀୟ ନେତୃତ୍ୱ ଏବଂ ଜିଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।
