ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଚାଲିଥିବା ୩ ଦିନିଆ ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ
ଯାଜପୁର : ନେହେରୁ ଯୁବକେନ୍ଦ୍ର ଯାଜପୁର,ଆନୁକୂଲ୍ୟରେ ଗତ ୧୨ଜାନୁୟାରୀରୁ ଚାଲିଥିବା ୩ ଦିନିଆ ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ କାର୍ଯ୍ୟକ୍ରମ ଗତକାଲି ଉଦ୍ଯାପିତ ହୋଇଯାଇଛି । ଯାଜପୁର ସଦରମହକୁମାସ୍ଥିତ ଗଣେଶ ମଣ୍ଡପ ଠାରେ ଯୁବ ଦିବସ ପାଳନ ଅବସରରେ ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣରେ ନିଜର ବଳିଷ୍ଠ ଭୂମିକା ପ୍ରଦର୍ଶନ କରିବା ତଥା ଗୋଷ୍ଠୀ ବିକାଶ ନିମନ୍ତେ ଚାଲିଥିବା ଏହି କାର୍ଯ୍ୟକ୍ରମର ଗତକାଲି ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ବିରଜା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଖିଳେଶ ରଂଜନ ପାଢ଼ୀ ଯୋଗ ଦେଇ ଯୁବକମାନେ ରାଷ୍ଟ୍ରର ମେରୁଦଣ୍ଡ ବୋଲି ଅଭିବ୍ୟକ୍ତ କରିବା ସହ ଯୁବଗୋଷ୍ଠୀମାନେ ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୂଚାରୁ ରୂପେ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହି ତ୍ରୀଦିବସୀୟ କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିବସ ଜାନୁୟାରୀ ୧୩ ତାରିଖ ଦିନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶୋକ କୁମାର ବେଉରିଆ ଯୋଗଦେଇ ଯୁବକ ଯୁବତୀମାନେ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାକୁ ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ସମସ୍ତ ବ୍ଳକ୍ ର ୪୦ଜଣ ଯୁବକ ଯୁବତୀ ୩ ଦିନ ଧରି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ ଉଦଯାପନୀ ସଭାକାର୍ଯ୍ୟରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିରଞ୍ଚିନାରାୟଣ ଦାସ, ବିଜୟ କୁମାର ଦାସ, ହୃଷିକେଶ ପଣ୍ଡା ଏବଂ ଅଶୋକ କୁମାର ଦାସ ନିଜ ନିଜର ଯୁବ ଦିବସ ପାଳନ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରିଥିଲେ ।ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ବାସୁଦେବ ଦାସ ସମସ୍ତ ଅତିଥି ଓ ତାଲିମାର୍ଥୀ ମାନଙ୍କୁ ସ୍ୱାଗତ ସମ୍ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।
