ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା
କଳାହାଣ୍ଡି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଆଜି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ପଛୁଆ ବର୍ଗ ଜାତି ସମୂହ । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରି ଓ ରାଜନୀତି ସଂରକ୍ଷଣରୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ଦୋକାନ ଓ ଯାନବାହନକୁ ବାଦ ଦିଆଯିବା ନେଇ ଗତକାଲି ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଭବାନୀପାଟଣାରେ ବଣିକ ସଂଘ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରୁନଥିବାରୁ ବଜାର ଖୋଲା ରହିଛି ।
ସୂଚନା ଯେ, ୭୩ତମ ସମ୍ବିଧାନ ସଂଶୋଧନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ବିଭିନ୍ନ ପଦ ପଦବିରେ ୨୭ ପ୍ରତିଶତ ସଂରକ୍ଷଣ ଦେବାର ବ୍ୟବସ୍ଥା ରହିଛି। ବିଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନମାନଙ୍କରେ ସଂରକ୍ଷଣ ସୁବିଧା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲାରେ ୩୬ଟି ଜିଲ୍ଲା ପରିଷଦ ସଭ୍ୟ ଏବଂ ୧୩ଟି ବ୍ଲକ୍ ଅଧ୍ୟକ୍ଷ ଆସନ ରହିଛି। ସେଥିମଧ୍ୟରୁ ପଛୁଆବର୍ଗ ପ୍ରାର୍ଥୀଙ୍କ ପାଇଁ ଗୋଟିଏ ମଧ୍ୟ ଆସନ ସଂରକ୍ଷଣ ରଖାଯାଇ ନାହିଁ। ଜାଣିଶୁଣି ପଛୁଆବର୍ଗଙ୍କୁ ରାଜନୈତିକ ଏବଂ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଛି। ତେଣୁ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ପ୍ରକାଶିତ ତ୍ରୁଟିପୂର୍ଣ୍ଣ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିଜ୍ଞପ୍ତିକୁ ରଦ୍ଦ କରି ପଛୁଆବର୍ଗଙ୍କୁ ବିଭିନ୍ନ ପଦ ପଦବିରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖି ନୂତନ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ କଳାହାଣ୍ଡି ଜିଲ୍ଲାର ପଛୁଆବର୍ଗ ଜାତି ସମୂହ କର୍ମକର୍ତ୍ତାମାନେ ଗତ ଗୁରୁବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲା ଯାଦବ ମହାସଭା ପୂର୍ବ ସଭାପତି ଡମ୍ବରୁଧର ଲହଜଲ, ଜିଲ୍ଲା କୁମ୍ଭକାର ସମାଜ ସଭାପତି କେଦାରନାଥ ରଣା, ଜଗଦୀଶ ଯାଦବ, ଲିଙ୍ଗରାଜ ବେହେରା, ଡାକେ ଲହଜଲ୍, ପ୍ରଦୀପ ନାଏକ, ନିରଞ୍ଜନ ପ୍ରଧାନ, ବିଜୟ ସାହୁ, ତୁଳମଣି ନାଗ, ସିର୍ଦ୍ଧାଥ ନାଏକ, ଶେଷଦେବ ସାହୁ, ନରହରି ବାଗ, ଦୁର୍ଲଭ ମାହାର, ଡୋଲେଶ୍ୱର ସାହୁ, ପ୍ରହଲ୍ଲାଦ ସା, ଜୟନ୍ତୀ ସାହୁ, ଦୟା ସାଗର ସା, କେଶବ ଭୋଇ, ମହେନ୍ଦ୍ର ସାହୁ, ସକିତ ରତେ, ରାମକୃଷ୍ଣ ରାଉତ, ପୁରନ୍ଦର୍ ଭୋଇ, ଅମରେଶ ବୁଦ୍ଧିଆ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଆଗାମୀ ଦିନରେ ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି କଳାହାଣ୍ଡି ଜିଲ୍ଲା ପଛୁଆବର୍ଗ ଜାତି ସମୂହ ପକ୍ଷରୁ ଚେତାବନୀ ଦିଆଯାଇଥିଲା।
