ମାସା ଆର୍ମି ପକ୍ଷରୁ ଡିଜିପିଙ୍କୁ ଦାବୀପତ୍ର ପ୍ରଦାନ ଜିଲ୍ଲାରେ କନେଷ୍ଟବଳ ନିଯୁକ୍ତିରେ ଆଦିବାସୀ ସଂରକ୍ଷଣ ଦାବୀ
ବାରିପଦା : ଚଳିତ ବର୍ଷ କନେଷ୍ଟବଳ ନିଯୁକ୍ତି ନିମନ୍ତେ ରାଜ୍ୟ ସିଲେକ୍ସନ ବୋର୍ଡ଼ ଓଡ଼ିଶା ପୋଲିସ କଟକ ଦ୍ୱାରା ଆଜି ଏକ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ, ଓଡିଶାର ସମସ୍ତ ଜିଲ୍ଲା ପାଇଁ ଖାଲି ପଡିଥିବା ଉଭୟ ପୁରୁଷ ଓ ମହିଳା ନିମନ୍ତେ ୪୭୯୦ଟି ପଦବୀ ପ୍ରକାଶ ପାଇଛି । ସେଥିରୁ ମୟୂରଭଂଜ ଜିଲ୍ଲା ପାଇଁ ଏସଟି ସଂରକ୍ଷଣ ପଦବୀ ବାଦଦେଇ ସର୍ବମୋଟ ୧୫୯ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏଥିରେ ଏସଟି ମାନଙ୍କ ପାଇଁ ଗୋଟିଏ ହେଲେବି ପଦବୀ ବାହାରି ନଥିବାର ଅଭିଯୋଗ କରି ପୁନଃ ବିଚାର କରାଯାଇ କନେଷ୍ଟବଳ ନିଯୁକ୍ତି ନିମନ୍ତେ ଏସଟି ସଂରକ୍ଷଣ ପଦବୀ ବାହାର କରିବା ପାଇଁ ଆଜି ମୟୂରଭଂଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମି ପକ୍ଷରୁ ଅତିରକ୍ତ ଏସ.ପିଙ୍କୁ ଭେଟି ଡିଜିପି ଓଡିଶାଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ମାସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ ମାର୍ଣ୍ଡି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ନେତୃତରେ ଜିଲ୍ଲା ସଭାପତି ମୁକେଶ ମାର୍ଣ୍ଡି, ରାଜ୍ୟ କୋଷାଧ୍ୟକ୍ଷ ମୁକେଶ କିସ୍କୁ ସୂର୍ଯ୍ୟନାରାୟଣ ମୁର୍ମୁ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ, ବାରିପଦା ବ୍ଲକ ସଭାପତି ସାଉଁନା ମୁର୍ମୁ, ଲାଲମୋହନ ଟୁଡ଼ୁ, କୃଷ୍ଣ ଟୁଡ଼ୁ, ବାପୋ ହାଁସଦା ପ୍ରମୁଖ ଦାବୀପତ୍ର ପ୍ରଦାନରେ ସାମିଲ ଥିଲେ ।
