କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ମହା ପଂଚାୟତ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଅବହେଳା, ଉଦାସିନ ମନୋଭାବ ଏବଂ ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ଯୋଗୁ ଲକ୍ଷାଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ ନିର୍ଯ୍ୟାତନାର ଶୀକାର ହେଉଛନ୍ତି । ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଶ୍ରମିକ ମାନଙ୍କର ହଜାର ହଜାର ଦରଖାସ୍ତ ଶ୍ରମ କାର୍ଯ୍ୟାଳୟରେ ପଡିରହିଥିଲେ ସୁଦ୍ଧା ପଞ୍ଜିକରଣ କରାଯାଉନାହିଁ । ବିଶେଷ କରି ମହିଳାମାନଙ୍କ ଦରଖାସ୍ତକୁ ବିଚାରକୁ ନିଆଯାଉନାହିଁ । ପଞ୍ଜିକୃତ ଶ୍ରମିକମାନଙ୍କ କାର୍ଡ ନବୀକରଣ ପାଇଁ ଅନ୍ଲାଇନର ଆଳ ଦେଖାଇ ଅନୁମୋଦନ କରିବାରେ ଅହେତୁକ ବିଳମ୍ବ କରାଯାଉଛି । ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ମାନଙ୍କୁ ବିଭିନ୍ନ ଆର୍ôଥକ ସହାୟତା ପ୍ରଦାନ କରାଯାଉନାହିଁ । ଶ୍ରମିକମାନଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଦେବା ପାଇଁ ଯୋତା, ହେଲ୍ମେଟ୍ ଓ ଗ୍ଲୋବସ୍ ଦିଆଯାଉନାହିଁ କି ଯନ୍ତ୍ରପାତି କ୍ରୟ, ସାଇକେଲ କ୍ରୟ ପାଇଁ ସହାୟତା ପ୍ରଦାନ କରାଯାଉନାହିଁ । ପଞ୍ଜିକୃତ ଶ୍ରମିକମାନଙ୍କ ପିଲାମାନଙ୍କୁ ଶିକ୍ଷା ବୃତ୍ତି ସହାୟତା ଦିଆଯାଉନାହିଁ କି କନ୍ୟା ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା, ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା, ଶ୍ରମିକ ମାନଙ୍କ ଗୁରୁତର ଅସୁସ୍ଥତା ପାଇଁ ଚିକିତ୍ସା ସହାୟତା, ଗୃହ ନିର୍ମାଣ ସହାୟତା, ୬୦ ବର୍ଷ ପରେ ବାର୍ଦ୍ଧକ୍ୟ ଭତ୍ତା ଭଳି ଆର୍ôଥକ ସହାୟତା ପ୍ରଦାନ କରାଯାଉନାହିଁ । ଶ୍ରମିକ ମାନଙ୍କର ଦକ୍ଷତା ଅଭିବୃଦ୍ଧି ନିମନ୍ତେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉନାହିଁ । ବିଶେଷ କରି ଦୈନିକ ଶ୍ରମ କାର୍ଯ୍ୟାଳୟରେ ଶତାଧିକ ଶ୍ରମିକ ଏକତ୍ରିତ ହୋଇ ଖରା ତରାରେ, ବର୍ଷାରେ ହନ୍ତସନ୍ତ ହେଉଥିବା ବେଳେ ଆଶ୍ରୟ ଓ ବିଶ୍ରାମ ନେବାକୁ ସ୍ଥାନ ଟିକେ ମିଳୁନାହିଁ କିମ୍ବା ତୃଷାର୍ତ୍ତ ଶ୍ରମିକମାନେ ପାଣି ଟୋପାଏ ନ ପାଇ ଡହଳ ବିକଳ ହେଉଥିବା ବେଳେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ସେଠାରେ ନାହିଁ । ଏହି ଦୃଷ୍ଟି କୋଣରୁ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଧୁଆଁବାଣରେ ପରିଣତ ହୋଇଛି । ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଶ୍ରମ କମିଶନର, ଜିଲ୍ଲା ପ୍ରଶାସନ, ଡିଭିଜନାଲ ଶ୍ରମ କମିଶନର, ଜିଲ୍ଲା ଶ୍ରମ ଅଧିକାରୀ ମାନଙ୍କ ସହିତ ସୌହାଦ୍ର୍ଦ୍ୟ ପୂର୍ଣ୍ଣ ଆଲୋଚନା, ଆନ୍ଦୋଳନ ଓ ଧାରଣା ଇତ୍ୟାଦି କରାଯାଇଥିଲେ ମଧ୍ୟ ପ୍ରତିଶୃତି ଦିଆଯାଇ ଅଦ୍ୟାବଧି କାର୍ଯ୍ୟକାରି କରାଯାଉନଥିବା ଅଭିଯୋଗ ହୋଇଛି । ଫଳରେ ଜିଲ୍ଲାରେ ଲକ୍ଷାଧିକ ଶ୍ରମିକ ନିର୍ଯ୍ୟାତିତ ଅବସ୍ଥାରେ କାଳ କାଟୁଛନ୍ତି । କୋଭିଡ୍ ୧୯ କରୋନା ସମୟରେ ଅନ୍ୟ ରାଜ୍ୟ ମାନଙ୍କରେ ଶ୍ରମିକ ମାନଙ୍କୁ ୩୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ରାଶି ମିଳୁଥିବା ବେଳେ ଆମ ରାଜ୍ୟର ସରକାରଙ୍କ ଦ୍ୱାରା ଘୋଷିତ ସମୁଦ୍ରକୁ ଶଙ୍ଖେ ଭଳି ମାତ୍ର ୧୫୦୦ ଟଙ୍କା ଆଜି ପର୍ଯ୍ୟନ୍ତ ହଜାର ହଜାର ଶ୍ରମିକ ଯାଇ ପାରିନାହାଁନ୍ତି । ଆମ କେନ୍ଦ୍ରପଡା ଜିଲ୍ଲ୍ାରେ ଏହି ଭଳି ଯୋଜନା ପ୍ରହସନରେ ପରିଣତ ହୋଇଛି । ଯାହାକି ଆମ ଗଣତନ୍ତ୍ର ରାଷ୍ଟ୍ରରେ ଏକ ଦୁର୍ଭାଗ୍ୟଜନକ ଘଟଣା । ଏହି ସବୁ ଅନ୍ୟାୟ ଅନୀତି ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟର ପ୍ରତିବାଦ କରିବା ସହିତ ଦରିଦ୍ର ନଷ୍ପେସିତ ଶ୍ରମିକମାନଙ୍କ ବୃହତର ସ୍ୱାର୍ଥ ରକ୍ଷା ନିମନ୍ତେ ନୂଆ ବସ୍ଷ୍ଟାଣ୍ଡ ଠାରେ କେନ୍ଦ୍ରାପଡା ଟ୍ରେଡ ୟୁନିୟନ ସମ୍ବନୟ ସମିତିର ଏକ ବୈଠକ ଆଇ.ଏନ.ଟି.ୟୁ.ସି.ର ବରିଷ୍ଠ ଶ୍ରମିକ ନେତା ଫକୀର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବସମ୍ମତ ନିଷ୍ପତି ଅନୁଯାୟୀ ଆସନ୍ତା ୧୨.୦୧.୨୦୨୩ ଗୁରୁବାର ପୂର୍ବାହ୍ନ, ୧୦ଘଟିକା ସମୟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ମହାପଂଚାୟତ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ର ନେତୃମଣ୍ଡଳୀ ଯୋଗଦେବାକୁ ସ୍ଥିର କରାଯାଇଛି । ଆଜିକାର ବୈଠକରେ ଆଇ.ଏନ.ଟି.ୟୁ.ସି.ର ମୁକ୍ତାର ଖାଁ, ଏ.ଆଇ.ଟି.ୟୁ.ସି.ର ବାବାଜୀ ଧଳ, ସି. ଆଇ. ଟି. ୟୁ. ର ଜଗତ୍ଜୀବନ ଦାସ,ଏଚ.ଏମ.ଏସ.ର ଗଦାଧର ମଳିକ, ବି.ଏମ.ଏସ.ର ପ୍ରଶାନ୍ତ ତ୍ରିପାଠୀ, ଏ.ଆଇ.ସି.ସି.ଟି.ୟୁ.ର ବସନ୍ତ ମଳିକ, ଏନ.ୟୁ. ଏନ.ଏସ.ଏସ.ର ଶିବ ନାଥ, ଓ.ଏନ.ଏସ.ଏସ.ର ସୌମ୍ୟରଞ୍ଜନ ଧଳ, ଆଇ.ଏନ.ଟି.ୟୁ.ସି.ର ବସନ୍ତ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଏତାଦୃଶ କାର୍ଯ୍ୟର ତୀବ୍ର ବିରୋଧ କରିବା ସହିତ କ୍ଷୋଭ ପ୍ରକାଶ କରିଥିଲେ । ଏହା ସତ୍ୱେ ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସଚେତନ ହୋଇ ଯଦି ଏହାର ଆଶୁ ପ୍ରତିକାର ନ କରନ୍ତି ତେବେ ଆଗାମି ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଉଛି ।
