ବଢ଼ିଲା ବ୍ରହ୍ମୋସ କ୍ଷେପଣାସ୍ତ୍ରର କ୍ଷମତା, ସୁଖୋଇ ବିମାନରୁ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ
ନୂଆଦିଲ୍ଲୀ : ଭବିଷ୍ୟତରେ ହେବାକୁ ଯାଉଥିବା ସାମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ଭାରତ କ୍ରମାଗତ ଭାବେ ଏହାର ସାମରିକ ଶକ୍ତି ବୃଦ୍ଧି କରୁଛି। ସାମରିକ କ୍ଷେତ୍ରରେ ଚୀନ-ପାକିସ୍ତାନ ପକ୍ଷରୁ ଆସିବାର ଥିବା ବିପଦର ମୁକାବିଲା କରିବା ପାଇଁ ଭାରତ ଏହାର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ନିୟୋଜିତ ରହିଛି। ଏହିକ୍ରମରେ ଭାରତୀୟ ବାୟୁସେନା ବ୍ରହ୍ମୋସ ଏୟାର-ଲଞ୍ଚ ହୋଇଥିବା କ୍ଷେପଣାସ୍ତ୍ରର ବିସ୍ତାରିତ ପରିସରକୁ ସଫଳତାର ସହ ପରୀକ୍ଷା କରିଛି।
ବ୍ରହ୍ମୋସ କ୍ଷେପଣାସ୍ତ୍ର ପରୀକ୍ଷଣ ବଙ୍ଗୋପ ସାଗରରେ ହୋଇଥିଲା। ଯେଉଁଠାରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ଏହାର ଟାର୍ଗେଟ ଉପରେ ଆକ୍ରମଣ କରି ଏହାକୁ ଲକ୍ଷ୍ୟକ୍ଷେଦ କରିଥିଲା। ସଠିକ୍ ଭାବରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିଥିବାରୁ ଏହି ଅଭିଯାନର ଲକ୍ଷ୍ୟ ହାସଲ ହୋଇଥିବା ଜଣାପଡ଼ିଛି। ସୁଖୋଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତକ୍ଷେପଣ କରିବା ନେଇ ଯୋଜନା। ଏହି କ୍ଷେପଣାସ୍ତ୍ର ସିଧା ସଳଖ ବଙ୍ଗୋପ ସାଗରରେ ରହିଥିବା ଏହାର ଟାର୍ଗେଟ ଉପରେ ସଫଳତାର ସହ ଆକ୍ରମଣ କରିଥିଲା।
ବାୟୁ ମାର୍ଗରେ ଉତକ୍ଷେପଣ ହୋଇଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ବିସ୍ତାରିତ କ୍ଷମତା ସୁଖୋଇ-୩୦ ଏମକେଆଇ ବିମାନର ଉନ୍ନତ ପ୍ରଦର୍ଶନ ସହିତ ଭାରତୀୟ ବାୟୁସେନାକୁ ରଣନୈତିକ କ୍ଷେତ୍ରରେ ମଜବୁତ କରିବ। ଏହା ପୂର୍ବରୁ ୨୯ ନଭେମ୍ବରରେ ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଏହି ପରୀକ୍ଷଣ ଭାରତୀୟ ସେନାର ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ କମାଣ୍ଡ ଦ୍ୱାରା କରାଯାଇଥିଲା।
ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ ଡିଆରଡିଓ ଏବଂ ଋଷିଆର ଫେଡେରାଲ୍ ଷ୍ଟେଟ୍ ୟୁନିଟାରୀ ଏଣ୍ଟରପ୍ରାଇଜ୍ ଦ୍ୱାରା ମିଳିତ ସହଯୋଗରେ ବିକଶିତ ହୋଇଛି। ବ୍ରହ୍ମୋସ କ୍ଷେପଣାସ୍ତ୍ର ହେଉଛି ଏକ ମଧ୍ୟମ ଦୂରଗାମୀ ଅଦୃଶ୍ୟ ରମଜେଟ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ । ଏହି କ୍ଷେପଣାସ୍ତ୍ରକୁ ଯୁଦ୍ଧ ଜାହାଜ, ବୁଡ଼ାଜାହାଜ କିମ୍ବା ବିମାନ ବାହକ ଯୁଦ୍ଧପୋତ ଅଥବା ସ୍ଥଳଭାଗରୁ ଉତକ୍ଷେପଣ କରାଯାଇ ପାରିବ। ଏହି କ୍ଷେପଣାସ୍ତ୍ରର ନାମ ଭାରତର ବ୍ରହ୍ମପୁତ୍ର ଏବଂ ଋଷିଆର ମସ୍କୋବା ନଦୀ ନାମରେ ନାମକରଣ କରାଯାଇଛି। ଆଣ୍ଟି-ସିପ୍ କ୍ରୁଜ୍ ମିସାଇଲ ଭାବେ ଏହା ବିଶ୍ୱର ଦ୍ରୁତତମ କ୍ଷେପଣାସ୍ତ୍ର ବୋଲି ବିଶ୍ୱାସ କରାଯାଏ।
ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଧ୍ୟମରେ ଭାରତର ସୁରକ୍ଷା ବ୍ୟବସ୍ଥା ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଛି। ଏହି କ୍ଷେପଣାସ୍ତ୍ରର ଶତ୍ରୁ ପକ୍ଷର କୌଣସି ଆଡ୍ଡାକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି। ଏହି କ୍ଷେପଣାସ୍ତ୍ରର ଏୟାର ଲଞ୍ଚ ସଂସ୍କରଣ ଗତ ୨୦୧୨ ବର୍ଷରେ ପ୍ରକାଶ ପାଇଥିଲା। ସେହିପରି ୨୦୧୯ ବର୍ଷରେ ଏହି କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାରେ ଅନ୍ତର୍ଭୂକ୍ତ ହୋଇଥିଲା। ଏହି କ୍ଷେପଣାସ୍ତ୍ରର ପରିସରକୁ ଆହୁରି ବଢାଇବା ପାଇଁ ଯୋଜନା ରହିଛି।
