ନୂଆବର୍ଷରେ ଫୁଲ ନୁହେଁ ଗଛ ଉପହାର ଦେବା ଓ ଲଗାଇବା ପାଇଁ ପ୍ରେରଣା ପକ୍ଷରୁ ନିବେଦନ
ଭୁବନେଶ୍ୱର : ବର୍ତମାନ ଦିନକୁ ଦିନ ବଢିଚାଲିଛି କଳ କାରଖାନା, ଗାଡ଼ିମଟର, ଜନସଂଖ୍ୟା । କିନ୍ତୁ ସେହି ଅନୁପାତରେ ବୃକ୍ଷ ରୋପଣ ହେଉନାହିଁ । ଯାହାଦ୍ୱାରା ବର୍ତମାନ ବାୟୁ ପ୍ରଦୂଷଣ ଉତ୍କଟରୁ ଉତ୍କଟତର ହେବା ସହ ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ ଆଦି ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ଅମ୍ଲଜାନର ଆବଶ୍ୟକତା ଆମେ ବିଚାର କଲେ କରୋନା ସମୟରେ ତାହା କେତେ ଦୁର୍ଲଭ ହୋଇପଡ଼ିଲା ଆମେ ଅଙ୍ଗେ ଲିଭେଇଛେ । ବର୍ତମାନ ଚୀନରେ କେବଳ ଅମ୍ଲଜାନ ପାଉଚ୍ ଦୋକାନ ବଜାରରେ ବିକ୍ରି ହେଉଛି ତାହା ନୁହେଁ, ଆମ ରାଜଧାନୀ ଦିଲ୍ଲୀରେ ଅମ୍ଲଜାନ ପାର୍ଲରମାନ ଖୋଲିସାରିଲାଣି । ସେହିପରି ଆମ ରାଜ୍ୟ ରାଜଧାନୀରେ ବାୟୁ ପ୍ରଦୂଷଣ ହେବା ୩୦୦ ମାଇକ୍ରୋଗ୍ରାମ ଛୁଇଁବାକୁ ଯାଉଥିବା ବେଳେ ରାଜ୍ୟର ଅନେକ ସହର ଅତିମାତ୍ରାରେ ପ୍ରଦୂଷିତ । ଏପରିସ୍ଥଳେ ନୂଆବର୍ଷରେ ବାଣ ନ ଫୁଟାଇ, ଅତିଥିମାନଙ୍କୁ ଅଭିଜଣାଇବା ବେଳେ ଫୁଲଗୁଚ୍ଛ ଉପହାର ନଦେଇ ଗଛଚାରାଟିଏ ଉପହାର ପ୍ରଦାନ କରିବା ସହିତ ନିଜେ ଗଛଟିଏ ଲଗାଇ ତାକୁ ନୂଆବର୍ଷର ସ୍ମୃତିର ସ୍ମାରକୀ ଭାବେ ବଂଚାଇ ରଖିବାକୁ ପ୍ରେରଣାର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତିରେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେଉଁ ବ୍ୟକ୍ତି ଅଧିକ ଗଛ ନୂଆବର୍ଷରେ ଲଗାଇ ତାକୁ ବଂଚାଇବ ଓ ବର୍ଷ ଶେଷରେ ସ୍ଥାନୀୟ ସରପଂଚ, କର୍ପୋରେଟରଙ୍କ ଠାରୁ ସେ ଲଗାଇଥିବା ଗଛ ସମ୍ପର୍କରେ ତଥ୍ୟ ପ୍ରଦାନ କରିପାରିବ, ଜୁଲାଇ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରେରଣା ପକ୍ଷରୁ ପାଳନ କରାଯାଉଥିବା ବନ ମହୋତ୍ସବ ସପ୍ତାହରେ ସେ ବ୍ୟକ୍ତିଙ୍କୁ ଉପଯୁକ୍ତ ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଶାଶ୍ୱତଙ୍କୁ ଫୋନ୍ ନଂ-୯୫୫୬୪୭୧୮୦୪ରେ ଯୋଗାଯୋଗ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
