ବିଶିଷ୍ଟ ଜନନେତା-ପ୍ରବୀଣ ରାଜନୀତିଜ୍ଞ ଅଶୋକ ଦାସଙ୍କ ସ୍ମୃତିଚାରଣ ସଭା
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ସ୍ଥିତ କାଠସଙ୍ଗଡ଼ା ବାରୁଣୀ ଘାଟ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋନନଦୀର ମିଳନସ୍ଥଳୀ ତ୍ରିବେଣୀ ତଟରେ ବିଗତ ଶତାବ୍ଦୀର ଓଡ଼ିଶାର ରାଜନୈତିକ ଇତିହାସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ବିଶିଷ୍ଟ ଜନନେତା, ନୀତିନିଷ୍ଠ ଧର୍ମନିରପେକ୍ଷ ମୂଲ୍ୟବୋଧ ରାଜନୀତିର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓଡ଼ିଶା ଜନତା ଦଳର ପୂର୍ବତନ ସଭାପତି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ନେତା, ସାଲିସହୀନ ପ୍ରବୀଣ ସମାଜବାଦୀ ସଂଗ୍ରାମୀ ନେତା ଅଶୋକ ଦାସଙ୍କ ତ୍ରୟୋଦଶତମ ସ୍ମୃତିଚାରଣ ସଭା ଓ ତିଳତର୍ପଣ ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଅଶୋକ ଦାସ ସ୍ମୃତି କମିଟି ପକ୍ଷରୁ ଅତ୍ୟନ୍ତ ଭାବଗମ୍ଭୀର, ଭକ୍ତି ଶ୍ରଦ୍ଧାପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ।
କମିଟିର ସଭାପତି ବିଧାନଚନ୍ଦ୍ର ରାୟ, କମିଟିର ଆବାହକ ଅରୁଣ ଜେନା ଏବଂ ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭେନ୍ଦୁ କୁମାର ମଙ୍ଗରାଜଙ୍କ ତତ୍ତ୍ୱାବଧନାରେ ଅଶୋକ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଢ଼ାବଳଙ୍ଗ ବକ୍ଷରେ ତିଳତର୍ପଣ କରାଯାଇଥିଲା । ତତ୍ପରେ ତ୍ରିବେଣୀଶ୍ୱର ମନ୍ଦିର ପରିସରରେ ୰ ଦାସଙ୍କ ଉଦ୍ଦେଶ୍ୟରେ ବିଶିଷ୍ଟ ସର୍ବୋଦୟ ନେତା ବିଧାନଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତାମାନେ ୰ ଅଶୋକ ଦାସଙ୍କ ବହୁମୁଖୀ ବ୍ୟକ୍ତିତ୍ୱ, ଓଡ଼ିଶାର ରାଜନୈତିକ ଘଟଣାବଳୀ, ଜନଜୀବନ ତଥା ସମାଜସେବା କ୍ଷେତ୍ରରେ ତାଙ୍କର ଦୀର୍ଘକାଳିକ ଅବଦାନ, ସଂଗ୍ରାମ ତଥା ସଂଘର୍ଷର କାହାଣୀକୁ ଉଲ୍ଲେଖ କରିଥିଲେ । ବିଧାୟକ ଭାବେ ସେ ଓଡ଼ିଶା ବିଧାନସଭାରେ ଦୀର୍ଘ ୨୫/୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ପ୍ରତିନିଧିତ୍ୱ କରି ନିଜ ଅଞ୍ଚଳ ତଥା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ କରିଥିଲେ ସେଥିପାଇଁ ଓଡ଼ିଶାର ଜନଜୀବନର ଇତିହାସରେ ସେ ଚିର ସ୍ମରଣୀୟ ରହିବେ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇର ବରିଷ୍ଠ ନେତା ଗୌରାଙ୍ଗ ପାଣିଗ୍ରାହୀ, ସିପିଆଇ(ଏମ୍)ର ନେତା ମୃତ୍ୟୁଞ୍ଜୟ ରାଉତ, ବିଜୁ ଯୁବଜନତା ଦଳର ପ୍ରମୁଖ କର୍ମକର୍ତ୍ତା ମୂରଲିଧର ମିଶ୍ର, ସୁଦର୍ଶନ ବେହେରା, ମହେନ୍ଦ୍ର ରାଉତ, ଜଗନ୍ନାଥ ବେହେରା, ମନୋରଞ୍ଜନ ଦାସ, ସୁନିଲ୍ ନାୟକ, ମାନସ ଦାସ, ଅଭୟ ସାମଲ, ଶିବାଜୀ ଦାସ, ରାଜୀବ ଦାସ, ଶ୍ରମିକ ନେତା ଯତୀନ୍ ପାତ୍ର ପ୍ରମୁଖ ସ୍ୱର୍ଗତ ଦାସଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ଅଭିହିତ କରିଥିଲେ । ସଭା ପୂର୍ବରୁ ସ୍ୱର୍ଗତଃ ଅଶୋକ ଦାସଙ୍କ ଫଟୋଚିତ୍ରରେ ସମୂହ ମାଲ୍ୟାର୍ପଣ କରାଯାଇ ଗୀତା, ବାଇବେଲ୍ ଓ କୋରାନ୍ ପାଠ କରାଯାଇଥିଲା ।
