ଅଯୋଧ୍ୟାରେ ଜିଲାସ୍ତରୀୟ କ୍ରିକେଟ ମ୍ୟାଚ୍ ଉଦ୍ଯାପିତ; ରେମୁଣା ଚମ୍ପିୟାନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଯୋଧ୍ୟା ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର (ଟୁବ୍ଲୁ) ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଜିଲାସ୍ତରୀୟ କ୍ରିକେଟ ମ୍ୟାଚ୍କୁ ଗତ ୨୪ ତାରିଖରେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଉଦଘାଟନ କରିଥିବା ବେଳେ ୫ ଦିନ ବ୍ୟାପୀ ଆୟୋଜିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ରେ କୁରକୁରା ଓ ରେମୁଣା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରେମୁଣା ଚମ୍ପିୟାନ ହୋଇଥିଲା । ପ୍ରଥମେ ବ୍ୟାଟିଙ୍ଗ୍ କରି ରେମୁଣା ଦଳ ନିର୍ଦ୍ଧାରିତ ୧୮ ଓଭରରେ ୭ ଉକେଟ୍ ବିନିମୟରେ ୧୫୮ ରନ୍ ସଂଗ୍ରହ କରିଥିଲା । ଜବାବରେ କୁରକୁରା ଦଳ ମାତ୍ର ୧୩୦ ରନ୍ କରି ଅଲଆଉଟ ହୋଇଯାଇଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରେମୁଣା ଦଳର ବିରଞ୍ଚି ନାୟକ ହୋଇଥିବା ବେଳେ ମ୍ୟାନ ଅପ୍ ଦି ସିରିଜ୍ କୁକୁରା ଦଳର ଜୟନ୍ତ କୁମାର ହୋଇଥିଲେ ।


ଶେଷରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ବିଜେତା ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ଓ ରନର୍ସଅପ ଦଳକୁ ଟ୍ରଫି ସହ ୮ହଜାର ଟଙ୍କା ପୁରସ୍କୃତ କରିଥିଲେ । ଏହି ଅବସରରେ ଯୁବନେତା ତାପସ କୁମାର ମହାନ୍ତି, ସୁଶାନ୍ତ ଖୁଣ୍ଟିଆ, ସରପଞ୍ଚ ତାରିଣୀ ସିଂ, ସମିତି ସଭ୍ୟ ଶୁକଦେବ ସିଂ, ନାଏବ ସରପଞ୍ଚ ଜ୍ଞାନରଞ୍ଜନ ନାୟକ ଉପସ୍ଥିତ ଥିଲେ । ସୁଶାନ୍ତ ପରିଡ଼ା, ପ୍ରକାଶ ମହାପାତ୍ର, ନିମାଇଁ ପ୍ରସାଦ ଧାମୁଡ଼ିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଖେଳକୁ ସ୍ଥାନୀୟ ଅଞ୍ଚଳର ଲୋକେ ଖୁବ୍ ଉପଭୋଗ କରିଥିଲେ ।
