ଗୋଟିଏ ରାତିରେ ୩ଟି ମନ୍ଦିରରୁ ଅଳଙ୍କାର ସହ ସାମଗ୍ରୀ ଲୁଟ, ନେଇଗଲେ ହୁଣ୍ଡି
ପିପିଲି : ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ପିପିଲି ପମସରା ଅଚଂଳର ୩ଗୋଟି ମନ୍ଦିରରୁ ଲୁଟ କଲେ ଦୁର୍ବୁତ୍ତ । ପମସରାର ଅର୍ଜୁନେଶ୍ୱର ମନ୍ଦିର, ତାରିଣୀ ମନ୍ଦିର, ହନୁମାନ ମନ୍ଦିରର ହୁଣ୍ଡି ଚୋରି କରିବା ସହିତ ରୂପା ଅଳଙ୍କାର ଓ ଘଂଟଘଂଟା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ ।
ସୂଚନା ଅନୁସାରେ ଦୁର୍ବୁତ୍ତ ମାନେ ଗତ ବୁଧବାର ବିଳମ୍ବିତ ରାତିରେ ପମସରା ଗ୍ରାମ ନିକଟ ଅର୍ଜୁନେଶ୍ୱର ମନ୍ଦିର ଗେଟ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରି ମନ୍ଦିର ଭିତରେ ଚୋରି କରିବା ରେ ବିଫଳ ହେବା ପରେ ମନ୍ଦିର ର ଯଜ୍ଞ ବେଦୀ ଗଚ୍ଛିତ ଘରର ଗ୍ରୀଲ ଭାଙ୍ଗି ଯଜ୍ଞ ସାମଗ୍ରୀ, ଠାକୁର ଙ୍କ ପିତଳ ସାମଗ୍ରୀ, ୧୦ ଗୋଟି ଘଣ୍ଟ, ୫ଗୋଟି ଘଣ୍ଟି ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ଦିରଟି ସିସିଟିଭି ମଧ୍ୟରେ ରହିଥିବା ବେଳେ ଦୁର୍ବୁତ୍ତ ମାନେ ମଧ୍ୟ ଚୋରି କରିବାକୁ ପଛାଇ ନାହାନ୍ତି । ବର୍ଷେ ତଳେ ଅର୍ଜୁନେଶ୍ୱର ମନ୍ଦିର ରୁ ଦୁର୍ବୁତ୍ତ ଅଷ୍ଟଧାତୁ ମୁର୍ତ୍ତି ଚୋରି କରି ନେଇ ଥିବା ଅଭିଯୋଗ ହୋଇଥିଲା । ତେବେ କିଛିଦିନ ପରେ ପୁଣି ଅର୍ଜୁନେଶ୍ୱର ମନ୍ଦିର ସହିତ ନିକଟରେ ଥିବା ତାରିଣୀ ମନ୍ଦିର ଓ ହନୁମାନ ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୁତ୍ତ ମାନେ ନେଇଛନ୍ତି ବୋଲି ପମସରା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ମନ୍ଦିରରୁ ଚୋରି ହୋଇଥିବା ନେଇ ପମସରା ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପଂହଚି ତଦନ୍ତ ଜାରି ରଖିଛି । ତେବେ ପିପିଲି ପୋଲିସ ଘଟଣା କୁ ଗୁରୁତର ସହ ନେଇ ସିସିଟିଭି ଆଧାରରେ ତଦନ୍ତ କରୁଥିବା ଥାନା ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି ।
