ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଟୁର୍ଣ୍ଣାମେଂଟ : ଆଦର୍ଶ କ୍ରିକେଟ କ୍ଲବ ବାଲେଶ୍ୱର ସେମିରେ
ଧର୍ମଶାଳା : ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ହାଜିରହିମିଆଁ ଖେଳପଡିଆରେ ୟଙ୍ଗଷ୍ଟାର କ୍ରିକେଟ ପକ୍ଷରୁ ଚାଲିଥିବା ୧୪ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ୪ର୍ଥ ତଥା ଶେଷ କ୍ୱାଟର ଫାଇନାଲ ମ୍ୟାଚରେ ଚରମ୍ପା ଏକାଡେମୀ ଭଦ୍ରକକୁ ୩ ଉଇକେଟରେ ହରାଇ ଆଦର୍ଶ କ୍ରିକେଟ କ୍ଲବ ବାଲେଶ୍ୱର ସେମିଫାଇନାଲରେ ପ୍ରବେଶ କରିଛି । ଭଦ୍ରକ ପ୍ରଥମେ ଟସ୍ରେ ଜିତି ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୫ଓଭର ମଧ୍ୟରୁ ୨୩.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜ୍ୟୋତିରଂଜନ ମହାନ୍ତି ସର୍ବାଧିକ ୪୪ ଓ ସଂଜିବ ଚୌଧୁରୀ ୩୨ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସୁକାନ୍ତ ମହାନ୍ତି ୨୩ ରନ ଦେଇ ୪ଗୋଟି ୱିକେଟ ନେଇଥିଲେ । ୧୭୦ ରନର ବିଜୟ ଲକ୍ଷ ନେଇ ବାଲେଶ୍ୱର ୧୯.୩ ଓଭରରେ ୭ ୱିକେଟ ହରାଇ ୧୭୩ ରନ ସଂଗ୍ରହ କରି ୪ର୍ଥ ଦଳଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ରାଜୀବ ଲୋଚନ ସାହୁ ୭୭ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ହରଶିଦ ରାଥୋଡ ୧୯ ରନ ଦେଇ ୩ଟି ୱିକେଟ ନେଇଥିଲେ । ରାଜୀବଙ୍କୁ ମ୍ୟାନଅଫଦମ୍ୟାଚ ଘୋଷିତ କରାଯାଇଥିଲା । ଆଜିର ଖେଳକୁ ସୁବ୍ରତ କୁମାର ଜେନା ଓ ଦେବରାଜ ମିଶ୍ର ପରିଚାଳନା କରିଥିଲେ । ଭାଷ୍ୟକାରଭାବେ ବିରେଶ ମହାନ୍ତି ଓ ସ୍କୋରଭାବେ ଜୁଲଫିକର ଅଲ୍ଲୀ ଓ ସୁମନ ବେହେରା ସହଯୋଗ କରିଥିଲେ । ୟଙ୍ଗଷ୍ଟାର କ୍ଲବର ସଭାପତି ରାକେଶ ଦେଓ,ସମ୍ପାଦକ ଅମୂଲ୍ୟ ରାଉତ,ସହ-ସମ୍ପାଦକ ସଂଗ୍ରାମ ମହାନ୍ତି,କୋଷାଧ୍ୟକ୍ଷ ଉଦୟଭାନୁ ଦେଓ ଓ ବରିଷ୍ଠ ସଭ୍ୟ ବିନୟ କୁମାର ରାଉତ,ଉମେଶ ଚନ୍ଦ୍ର ବଟ ଓ ବାବୁନା ବେହେରା ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ । ବୁଧବାର ଦିନ ମା’ବଟ ମଙ୍ଗଳା କ୍ରିକେଟ କ୍ଲବ ଗୋଳକୁଣ୍ଡ ସହିତ ଆଦର୍ଶ କ୍ରିକେଟ କ୍ଲବ ବାଲେଶ୍ୱର ମଧ୍ୟରେ ୧ମ ସେମିଫାନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।
