ବାଲେଶ୍ୱର ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ଉପହାର
- ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ
ବାଲେଶ୍ୱର : ସାମ୍ପ୍ରତିକ ମହାମାରୀ କରୋନାର ମୁକାବିଲା ତଥା ଓଡ଼ିଶାର ବିକାଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଆଧାରରେ ବୁଧବାର ୭ଟି ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି । ଏହି ଅବସରରେ ବାଲେଶ୍ୱର ଜିଲାର ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ମିଳିଥିବା ୫ଟି ପ୍ରକଳ୍ପ ମଧ୍ୟରୁ ୨ଟିର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୩ଟିର ଶୁଭ ଉଦ୍ଘାଟନ କରାଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପରିପ୍ରେକ୍ଷୀରେ ପ୍ରକଳ୍ପଗୁଡିକ ସମ୍ବନ୍ଧରେ ସୂଚନା ଦେବା ସହ ସେଥିରୁ ଜିଲାବାସୀ ବହୁତ ଉପକୃତ ହେବେ ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଶୁଭ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଥିବା ସ୍ୱାସ୍ଥ୍ୟ ପ୍ରକଳ୍ପ ଆଗାମୀ ଦିନରେ ଜିଲାର ସ୍ୱାସ୍ଥ୍ୟ ସେବାକୁ ଉଚ୍ଚତର ସ୍ତରକୁ ପହଞ୍ଚାଇବ । ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣି ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ସ୍ଥିତିରେ ଅବସ୍ଥାପିତ କରିପାରିଛନ୍ତି । ଜିଲାବାସୀଙ୍କ ତରଫରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ନବନିର୍ମିତ ଡେଙ୍ଗୁ-ଡାଇରିଆ ୱାର୍ଡ଼, ରକ୍ତ ବର୍ଗୀକରଣ ୟୁନିଟ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥିତ କୋଭିଡ୍-୧୯ ଅତିରିକ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ । ଅନ୍ୟ ୨ଟି ପ୍ରକଳ୍ପ ଲ୍ୱିକ୍ୱିଡ଼ ମେଡିକାଲ ଅକ୍ସିଜେନ ସଂରକ୍ଷଣ ବ୍ୟବସ୍ଥା ଓ ଚାପ ଅବଶୋଷଣ ପ୍ରଣାଳୀରେ ମେଡ଼କାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା. ସୁଜାତା ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ, ଏଡ଼ିଏମ୍ଓ ଡା. ମୃତ୍ୟୁଞ୍ଜୟ ମିଶ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଅର୍ଚ୍ଚନା ଗାଏନ, ଡିପିଏମ ଅନୀଲ ମହାନ୍ତି, ପ୍ରୋବେସନର ଆଇଏଏସ କୁନାଲ ଚୌହାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏଥିରେ ସାମିଲ ଥିଲେ ।


