କଥା ହେବାକୁ ମନା କରିବାରୁ ସ୍କୃଡ୍ରାଇଭରରେ ୫୧ ଥର ଭୁଷି ପ୍ରେମିକାକୁ ମାରିଲା ପ୍ରେମିକ
ନୂଆଦିଲ୍ଲୀ : ଦିଲ୍ଲୀର ମେହରୁଲି ଅଞ୍ଚଳରେ ଘଟିଥିବା ଶ୍ରଦ୍ଧା ୱାକର ହତ୍ୟା ମାମଲା ମନରୁ ନଲିଭୁଣୁ ଏବେ ପୁଣି ଏକ ଲୋମଟାଙ୍କୁରା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଛତିଶଗଡ ପୋଲିସ । ଛତିଶଗଡର କୋରବା ଜିଲାରେ ଜଣେ ପ୍ରେମିକ ଏମିତି ଏକ କାଣ୍ଡ ଭିଆଇଛି ଯେ, ପୋଲିସ ଜାଣି ତାଜୁବ ହୋଇଛି। ଏହି ଘଟଣା ଛତିଶଗଡ଼ ରେ ଡିସେମ୍ବର ୨୪ ତାରିଖରେ ସାଉଥ୍ ଇଷ୍ଟର୍ନ କୋଲଫିଲ୍ଡସ ଲିମିଟେଡ ପାଖରେ ଥିବା ପମ୍ପ ହାଉସ ନିକଟରେ ଘଟିଛି । ଜଣେ ପିଶାଚ ପ୍ରେମିକ ତାର ୨୦ ବର୍ଷିୟା ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଛି। କୋରବା ଜିଲ୍ଲା ପୋଲିସ ଅଧିକ୍ଷକଙ୍କ କହିବାକଥା, ଅଭିଯୁକ୍ତ ନିଜ ପ୍ରେମିକାକୁ ୫୧ ଥର ପେଚକସରେ ଭୁଷି ହତ୍ୟା କରିଛି।
ପୋଲିସ ତାର ପ୍ରାଥମିକ ତଦନ୍ତରୁ ପାଇଥିବା ସୂଚନା ଅନୁସାରେ, ଛତିଶଗଡ଼ ଜଶପୁର ଜିଲ୍ଲାରେ ରହୁଥିବା ଏହି ଯୁବକ ଜଣଙ୍କର ୩ ବର୍ଷ ତଳେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ଯୁବକ ଜଣଙ୍କ ପେଶାରେ ଜଣେ ବସ୍ କଣ୍ଡକ୍ଟର ବୋଲି ପୋଲିସ କହିଛି । ଉଭୟଙ୍କ ମଧ୍ୟରେ ଫୋନ ଯୋଗେ କଥା ହୋଇ ନିଜର ସମ୍ପର୍କକୁ ଆଗକୁ ବଢାଇଥିଲେ । ହେଲେ କୌଣସି କାରଣରୁ ଯୁବତୀ ଜଣଙ୍କ ସମ୍ପୃକ୍ତ ଯୁବକଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ଏଥିରେ ରାଗିଯାଇ ଯୁବକ ଜଣଙ୍କ ଏଭଳି ହତ୍ୟା କରିଥିବା ପୋଲିସ କହିଛି । ହେଲେ ପୋଲିସ ମାମଲା ରୁଜୁ କରିଥିଲେ ବି ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଛି ।
ସେପଟେ ପୋଲିସର କହିବାକଥା, ଅଭିଯୁକ୍ତ ଯୁବକ ଜଣଙ୍କ ଏଠାରେ ପହଞ୍ଚିବା ପରେ ଯୁବତୀ ନିଜ ଘରେ ଏକଟିଆ ଥିଲେ । ଯୁବକ ଜଣଙ୍କ ହଠାତ ଯୁବତୀଙ୍କ ଘର ଭିତରେ ପଶିଯାଇଥିଲେ ଓ ତାଙ୍କ ମୁହଁକୁ ତକିଆ ସହାୟତାରେ ଚାପିଧରି ନିର୍ମମ ଭାବେ ସାଥିରେ ଆଣିଥିବା ପେଚକସ ବା ସ୍କୃଡ୍ରାଇଭରରେ ଭୁଷିବା ଆରମ୍ଭ କରିଦେଇଥିଲେ । କ୍ରମାଗତ ଭାବେ ୫୧ ଥର ଆକ୍ରମଣ କରି ସେ ଫେରାର ହୋଇଯାଇଥିଲା । ପ୍ରେମିକାର ଭାଇ ଘରେ ପହଞ୍ଚିବା ବେଳକୁ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡି ରହିଥିଲେ । ପରେ ପଡ଼ୋଶୀଙ୍କ ସହାୟତାରେ ସେ ପୋଲିସକୁ ଖବର ଦେଇଥିଲେ।
ସୂଚନାନୁସାରେ, ଦିଲ୍ଲୀର ମେହରୁଲି ଅଞ୍ଚଳରେ ହୋଇଥିବା ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ନିଜ ପ୍ରେମିକାକୁ ତଣ୍ଟିଚିପି ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜ ରେ ରଖିଥିଲା ଅଭିଯୁକ୍ତ ଆଫତାବ୍। ପରେ ଜଣାପଡ଼ିବା ପରେ ପୋଲିସ ଆଫତାବଙ୍କୁ ଗିରଫ କରି ଜେଲରେ ରଖିଛି।
