ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା କଣ୍ଟାବାଞ୍ଜି ସବଜେଲ୍ ରେ କ୍ରାଇମବ୍ରାଞ୍ଚ ଟିମ୍ ର ତଦନ୍ତ
ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରୀ ରଖିଛି କ୍ରାଇମବ୍ରାଞ୍ଚ । ଆଜି ଷଷ୍ଠ ଦିନରେ କ୍ରାଇମବ୍ରାଂଚର ଦୁଇ ଜଣିଆ ଟିମ୍ କଂଟାବାଞ୍ଜି ସବଜେଲ୍ ରେ ପହଂଚି ତଦନ୍ତ କରୁଛନ୍ତି । ଏଥି ପୂର୍ବରୁ ଗତ ୨୪ ତାରିଖରେ କ୍ରାଇମବ୍ରାଂଚ ଟିମ୍ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସ୍ଥିତ ମହାଲିଙ୍ଗ ଆଂଚଳିକ କଲେଜକୁ ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ । କଲେଜର ପୁରୁଣା ରିଜୋଲ୍ୟୁସନ ରେଜିଷ୍ଟର ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲେ । ଗୋବିନ୍ଦଙ୍କ ମହାଲିଙ୍ଗ ସ୍ଥିତ ଘରେ ପହଂଚି ପରିବାର ଲୋକଙ୍କ ବୟାନ ସଂଗ୍ରହ କରିଥିଲେ । ଜାତୀୟ ମାନବାଧିକାର କମିଶନ ଘଟଣାକୁ ଗୁରୁତ୍ୱର ସହ ନେଇଥିବାରୁ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇନଥିବା ବେଳେ ଗତ ୨୩ ତାରିଖ ଦିନ ଜେଲ୍ ବିଭାଗ ନିର୍ଦ୍ଦେଶାଳୟ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି ଲେଖି ଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟ ପଠାଇବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉକି, ଗତ ୨୦ ତାରିଖରେ ଗୋବିନ୍ଦ କଣ୍ଟାବାଞ୍ଜି ସବଜେଲ୍ ଶୌଚାଳୟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା । ତେବେ ହାଇ ସିକ୍ୟୁରିଟି ମଧ୍ୟରେ ଜେଲ୍ ରେ ଥିବା ଗୋବିନ୍ଦ କିପରି ଆତ୍ମହତ୍ୟା କଲେ ତାହା ଏବେବି ଅସ୍ପଷ୍ଟ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସ୍ଥିତ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୨୧ ଅକ୍ଟୋବର ୮ ତାରିଖରେ ତାଙ୍କୁ ହତ୍ୟା କରାଯାଇ ଶବକୁ ସ୍କୁଲ ପଡ଼ିଆରେ ପୋଡ଼ି ମାଟିରେ ପୋତି ଦିଆଯାଇଥିଲା । ଘଟଣାର ୧୧ ଦିନ ପରେ ଅର୍ଥାତ୍ ଅକ୍ଟୋବର୧୯ ତାରିଖରେ ମାଟିଖୋଳି ତାଙ୍କ ଦରପଡ଼ା ଶବ ଜବତ କରିଥିଲା ପୋଲିସ ।
