ଆଜି ଠାରୁ ଏଫ୍ଏମ୍ୟୁରେ ‘ଆଇଏ’ର ବାର୍ଷିକ ଆନ୍ତର୍ଜାତୀୟ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ)ର ସ୍ନାତକୋତ୍ତର ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଭାରତୀୟ ଅର୍ଥନୈତିକ ସଂଘ (ଇଣ୍ଡିଆନ୍ ଇକୋନୋମିକ୍ ଆସୋସିଏସନ୍ (ଆଇଏ))ର ବାର୍ଷିକ ଆନ୍ତର୍ଜାତୀୟ ସମ୍ମିଳନୀ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ । ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମ ନୂଆପାଢ଼ୀ ସ୍ଥିତ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ପରିସରରେ ହେବ । ଏନେଇ ବିଶ୍ୱବିଦ୍ୟାଳୟ ପୁରୁଣା କ୍ୟାମ୍ପସ୍ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଆଇଏ ହେଉଛି ସାମାଜ ବିଜ୍ଞାନ ଶୃଙ୍ଖଳା କ୍ଷେତ୍ରରେ ସର୍ବ ପୁରାତନ ଆସୋସିଏସନ୍, ଯାହା ୧୯୧୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଅଛି ଏବଂ ଏହି କ୍ରମରେ ଚଳିତବର୍ଷ ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଶାକୁ ଫେରିଛି । “ଭାରତରେ ମହାମାରୀ ପରବର୍ତ୍ତୀ ଅର୍ଥନୀତିକ ସ୍ଥିତିର ପୁନଃରୁଦ୍ଧାର: ନୀତି ଓ ଆହ୍ୱାନ” ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଅବସରରେ ଭାରତୀୟ ଅର୍ଥନୀତି ସହ ଜଡ଼ିତ ଅନ୍ୟ କେତେକ ପ୍ରମୁଖ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ । ଦେଶ ତଥା ବିଦେଶରୁ ପ୍ରାୟ ୫ଶହ ଭିତ୍ତି ପ୍ରବକ୍ତା ତଥା ଭିତ୍ତି ପ୍ରବନ୍ଧ ଉପସ୍ଥାପନାକାରୀ ପ୍ରତିନିଧି ସମ୍ମିଳନୀରେ ଅଂଶଗ୍ରହଣ କରି କୋଭିଡ -୧୯ ମହାମାରୀ ପରେ ଭାରତୀୟ ଅର୍ଥନୀତିର ପୁନଃରୁଦ୍ଧାର ସମ୍ପର୍କୀୟ ଯୋଜନା ଏବଂ ନୀତି ଉପରେ ବିଚାରବିମର୍ଶ କରିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଅର୍ଥନୀତିର ବିଭିନ୍ନ ପ୍ରସଙ୍ଗରେ ବିଷୟ ବିଶାରଦ ତଥା ଗବେଷକଙ୍କ ଗବେଷଣାତ୍ମକ ନିବନ୍ଧ ଏଥିରେ ଉପସ୍ଥାପିତ ହେବ । ବିଶେଷତଃ କୋଭିଡ-୧୯ ମହାମାରୀ ପରେ ଭାରତୀୟ ଅର୍ଥନୀତିର ପୁନଃରୁଦ୍ଧାରକୁ ନେଇ ନୀତି ଓ ଆହ୍ୱାନ ଉପରେ ଗୁରୁତ୍ୱ ଦିଆଯିବ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମାଜ ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟ ତଥା ସଂଯୋଜକ ଡ. ସୁନୀଲ କୁମାର ପାଢ଼ୀ, ଡ. ଅଜୟ କୁମାର ତୋମାର, ଡ. ଡିକେ ଅସ୍ଥାନା, ଏସ୍କେ ପାଢ଼ୀ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ ।
