ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କୋଭିଡର ନୂଆ ଭାରିଆଣ୍ଟ ଚିନ୍ତା ବଢାଇଥିବା ବେଳେ ରାଜ୍ୟ ସରକାର ଏହାର ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ କିଛିଦିନ ତଳେ ବୈଠକରେ କରୋନା ମୁକାବିଲା ପ୍ରସ୍ତୁତି ବୈଠକ ହୋଇ ନୂଆ ଗାଡଲାଇନ ଜାରି କରାଯାଇଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସମୀକ୍ଷା ବୈଠକ କରିବେ । ମଙ୍ଗଳବାର ଅପରାହ୍ନ ୪ଟା ୩୦ରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମୀକ୍ଷା ବୈଠକରେ ଆଗାମୀ ଦିନ ପାଇଁ କୋଭିଡ୍ ମୁକାବିଲା ରଣନୀତି ପ୍ରସ୍ତୁତ ହେବ ।
ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ପ୍ରସ୍ତୁତ ହୋଇଛି ମୁକାବିଲା ଯୋଜନା । ସଂକ୍ରମଣ ବଢିଲେ କେମିତି କରାଯିବ ମୁକାବିଲା ? କେତେ ପ୍ରସ୍ତୁତ ଅଛି ସ୍ବାସ୍ଥ୍ୟ ଭିତ୍ତିଭୂମି ? ଏ ସବୁ ଉପରେ ଆଜି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ମଧ୍ୟ ରାଜ୍ୟର ସବୁ କୋଭିଡ ହସ୍ପିଟାଲରେ ମକଡ୍ରିଲ୍ କରାଯିବ । ସମସ୍ତ ସରକାରୀ ଡାକ୍ତରଖାନା ଓ କୋଭିଡ ଚିକିତ୍ସା ପାଇଁ ଅନୁବନ୍ଧିତ ଘରୋଇ ହସ୍ପିଟାଲରେ ଆଇସିୟୁ, ଏସଡିୟୁ, ଅକ୍ସିଜେନ୍ କନସେନଟ୍ରେଟର, ଟେଷ୍ଟିଂ କିଟ୍, ପିପିଇ କିଟ୍, ମାସ୍କ୍ କେତେ ଗଚ୍ଛିତ ଅଛି, ସେନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ । କୋଭିଡ ଚିକିତ୍ସାରେ ପ୍ରଶିକ୍ଷିତ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ଙ୍କ ସଂଖ୍ୟା ନେଇ ମଧ୍ୟ କେନ୍ଦ୍ରକୁ ସୂଚନା ଦିଆଯିବ । ସମସ୍ତ ଡାକ୍ତରଖାନାର ଅଧୀକ୍ଷକ ଓ ସିଡିଏମଓ କେନ୍ଦ୍ର ସରକାରଙ୍କ କୋଭିଡ ପୋର୍ଟାଲରେ ତଥ୍ୟ ଅପଲୋଡ କରିବେ ।
ରାଜ୍ୟରେ ଏ ଯାଏଁ ମାତ୍ର ୪୧ ପ୍ରତିଶତ ଲୋକ ପ୍ରିକସନ ଟିକା ନେଇଛନ୍ତି । ସରକାରୀସ୍ତରରେ ମାଗଣା ତୃତୀୟ ଡୋଜ ଟିକା ପ୍ରଦାନ ନେଇ ଟିକା ଯୋଗାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଗତ ୨୩ ତାରିଖରେ ଚିଠି ଲେଖାଯାଇଛି।
