କାର୍-ବାଇକ୍ ମୁହାଁମୁହିଁ, ତିନି ଗୁରୁତର
ବୈପାରିଗୁଡା: କୋରାପୁଟ ଜିଲା ବୈପାରିଗୁଡା ଥାନା ନିକଟରେ ଥିବା ଡାଳଖାଇ ନିକଟରେ କାର୍ ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ତିନି ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଶାଶ୍ୱତ ମାୟା ଆଚାର୍ଯ୍ୟ ନିଜ କାର (ଓଡି୦୨ବିଟି-୨୫୦୨) ରେ କୌଣସି କାମରେ ହାଇଦ୍ରାବାଦ ଯାଇଥିଲେ। କାମ ସାରିବା ପରେ ଅନ୍ୟ ଏକ କାମରେ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ୩୨୬ ନମ୍ବର ରାଞ୍ଚି ବିଜୟଓ୍ଡାଡା ଜାତୀୟ ରାଜପଥ ଦେଇ ମାଲକାନଗିରି ପଟୁ ଜୟପୁର ଫେରୁଥିବା ବେଳେ ଡାରଖାଇ ନିକଟରେ ଏକ ବାଇକକୁ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ତିନି ଜଣ ଯୁବକ ବୈପାରିଗୁଡା ଠାରୁ ଲକ୍ଷ୍ମୀପୁରକୁ ଯିବାକୁ ବାହାରି ଥିଲେ। ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ବାଇକ୍ ଚାଳକ ଡମୁ ପୁଜାରୀ (୩୬) ଗୁରୁତର ଆହତ ହୋଇଥିଲେ। ଅନ୍ୟ ଦୁଇ ଜଣ ଆଦୁ ପୂଜାରୀ (୬୦) ଏବଂ ଘେନୁ ଲକେଇ (୨୨) ସାମାନ୍ୟ ଆହତ ହୋଇଛନ୍ତି। ଏହା ଦେଖିବା ପରେ ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେବା ପରେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୁଲିସ ଏଏସ୍ଆଇ ଶିବ ଶଙ୍କର ନାୟକ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଅଶ୍ବିନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
