ବିନୋଦ କୁମାରଙ୍କ ସମେତ ୬ଙ୍କୁ ୩ ବର୍ଷ ଜେଲ୍
ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ବିନୋଦଙ୍କ ବ୍ୟତୀତ ଆଉ ୫ ଜଣଙ୍କୁ ମଧ୍ୟ ୩ବର୍ଷ ର ସଜା ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହା ସହ ୫୦ହଜାର ଟଙ୍କା ଜରିମାନା ଓ ଅନାଦେୟ ଦେଲେ ୬ମାସ ଅଧିକ ଜେଲ ଦଣ୍ଡ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜାଲ କାଗଜପତ୍ର ମାଧ୍ୟମରେ ଋଣ ଦେବା ଘଟଣାରେ ଏହି ଜେଲଦଣ୍ଡାଦେଶ ହୋଇଛି । ବିନୋଦ କୁମାରଙ୍କ ସମେତ ସ୍ୱସ୍ତି ରଞ୍ଜନ ମହାପାତ୍ର, ପ୍ରଦୀପ ରାଉତ, ସତ୍ୟ ପ୍ରକାଶ ବେହେରା, ଜ୍ଞାନେନ୍ଦ୍ର ସ୍ୱାଇଁ ଓ ମନୋରଞ୍ଜନ ନାୟକଙ୍କୁ ଜେଲଦଣ୍ଡାଦେଶ ହୋଇଛି । ପୂର୍ବରୁ ଅନ୍ୟ ୫ଟି ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଦଣ୍ଡାଦେଶ ହୋଇସାରିଛି । ବିନୋଦ କୁମାର ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମେସର୍ସ ରଶ୍ମୀ ମାସ୍ କନଷ୍ଟ୍ରକସନ ପ୍ରାଇଭେଟ ଲିମିଡେଟକୁ ୨୧ ଲକ୍ଷ ୩୫ ହଜାର ଟଙ୍କାର ଗୃହ ଋଣ ଯୋଗାଇଥିଲେ । ତେବେ ଏହି ଋଣ ମଞ୍ଜୁର ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଧରା ପଡିଥିଲା ।
