ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଭୁବନେଶ୍ୱର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସୋମବାର ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନିରୀକ୍ଷଣ କରି ଚାଲୁରହିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ନିରୀକ୍ଷଣ ସମୟରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ତଥା ମହତ୍ୱକୁ ଗୁରୁତ୍ୱାରୋପ କରି ଶ୍ରୀ ସୁନକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁତ ଆବଶ୍ୟକ ପରିଷେବା ଯଥା ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର (ସର୍କୁଲାର କ୍ଷେତ୍ର), କନକୋର୍ସ, ପ୍ଲାଟଫର୍ମର ଆଲୋକୀକରଣ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦିକୁ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି । ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗ କ୍ଷେତ୍ରରେ ସମସ୍ୟା ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିବାକୁ ମହାପ୍ରବନ୍ଧକ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଂଚଳର ରେଳ ଭିତିଭୂମି ବିକାଶ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି । ପୂର୍ବତଟ ରେଳପଥର ପ୍ରମୁଖ ଇଞ୍ଜିନିୟର ଏନ ଏସ୍ ଉଇକେ, ରେଳପଥ ନିର୍ମାଣ ବିଭାଗର ମୁଖ୍ୟ ଇଞ୍ଜିନିୟର ଅକ୍ଷୟ ସକ୍ସେନାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକ ଶ୍ରୀ ସୁନକରଙ୍କ ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ ।
