କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ମୁଶଫିକୁର, ମିଳିଲା ଉପଯୁକ୍ତ ଜବାବ
ମୀରପୁର : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟକୁ ଟିମ୍ ଇଣ୍ଡିଆ ୩ ୱିକେଟରେ ଜିତି ନେଇଛି । ଏହା ସହ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରିନେଇଛି । ଭାରତ ଓ ବାଂଲାଦେଶ ଶେଷ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଶେଷ ହେଉ ହେଉ ଜିତିବା ପାଇଁ ୧୪୫ ରନର ଲକ୍ଷ୍ୟ ପିଛା କରିବାକୁ ମଇଦାନରେ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ସ୍ଥିତି ଖରାପ ହୋଇଯାଇଥିଲା । ଭାରତୀୟ ଦଳ ମାତ୍ର ୪୫ ରନରେ ୪ ୱିକେଟ୍ ହରାଇଥିଲା ।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୦ ଓଭରର ପଞ୍ଚମ ବଲରେ ଶଟ୍ ଲେଗରେ ମୋମିନୁଲ ହକଙ୍କ ହାତରେ କ୍ୟାଚ୍ ଦେଇବସିଥିଲେ । କିନ୍ତୁ ଏହା ପରେ ଯେତେବେଳେ ବିରାଟ କୋହଲି ପାଭିଲିୟନକୁ ଫେରିବା ଆରମ୍ଭ କଲେ, ସେତେବେଳେ ବାଂଲାଦେଶ ଖେଳାଳିମାନେ ଉତ୍ସବ ପାଳନ କରିବାକୁ ଏକାଠି ହେବା ପରେ ଏକ ବଡ଼ ବିବାଦ ଉପୁଜିଥିଲା । ଦଳର ସବୁଠାରୁ ସିନିୟର ଖେଳାଳି ମୁଶଫିକୁର ରହିମ ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ ।
ଯେମିତି ବିରାଟ କୋହଲିଙ୍କ କାନରେ ଏହି ଶବ୍ଦ ପହଞ୍ଚିଲା, ସେ ତୁରନ୍ତ ଖେଳାଳିଙ୍କ ଆଡକୁ ଦୌଡ଼ି ଗଲେ । ଏଭଳି ପରିସ୍ଥିତିରେ ଅମ୍ପାୟାର ମଝିରେ ଆସିଗଲେ ଓ ବିରାଟ କୋହଲି ତାଙ୍କୁ ବିରୋଧ କରିଥିଲେ । କିନ୍ତୁ ହାଇ ଟେମ୍ପରାଣ୍ଟ ସ୍ୱଭାବ ପାଇଁ ଜଣାଶୁଣା ବିରାଟ କୋହଲି ନିଜ ହିସାବ ପଡ଼ିଆରେ ହିଁ ବରାବର କରିନେଇଥିଲେ ଓ ମୁଶଫିକୁରଙ୍କ ଦୁର୍ବ୍ୟବହାରର ଜବାବ ଦେଇଥିଲେ । ବିରାଟ କୋହଲିଙ୍କ ଆଖି ଓ ମୁହଁରେ କ୍ରୋଧ ସ୍ପଷ୍ଟ ଦେଖାଯାଉଥିଲା ।
ସୂଚନା ଯେ, ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତୀୟ ଦଳ ସିରିଜକୁ ୨-୦ରେ ଜିତିନେଇଛି । ୧୪୫ ରନର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ୭୪ ରନରେ ୭ ୱିକେଟ୍ ହରାଇଥିଲା । ଫଳରେ ଦଳ ଖରାପ ସ୍ଥିତିରେ ରହିଥିଲା । ଏହା ପରେ ଶ୍ରେୟାସ ଆୟର (୨୯ *) ଓ ରବିଚନ୍ଦ୍ରନ ଅଶ୍ୱିନ (୪୨ *) ୭୧ ରନର ଅପରାଜିତ ପାର୍ଟନରଶିପ୍ ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଥିଲା । ୧୩ଟି ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏହା ହେଉଛି ଭାରତର ୧୧ ତମ ବିଜୟ । ବାଂଲାଦେଶ ପ୍ରଥମ ବିଜୟର ସୁଯୋଗ ହାତଛଡ଼ା କରିଛି ।
