ବିଜେପି ପକ୍ଷରୁ ଜି-୨୦ ସମାବେଶ ଓ ଓଡିଶା ଶୀର୍ଷକ ଆଲୋଚନାଚକ୍ର ବିଶ୍ୱକୁ ଶିକ୍ଷା, ଶକ୍ତି ଓ ସଂସ୍କୃତିର ସଫଳ ବାର୍ତା ପହଁଚାଇବ ଭାରତ: ଓମ୍ ପ୍ରିୟଦର୍ଶୀ ଛୋଟରାୟ
ଭୁବନେଶ୍ୱର : ଆସନ୍ତା ବର୍ଷ ତମାମ ଭାରତ ବର୍ଷରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ସାରା ବିଶ୍ୱକୁ ଶିକ୍ଷା, ଶକ୍ତି ଓ ସଂସ୍କୃତିର ସଫଳ ବାର୍ତା ପହଁଚାଇବ ଭାରତବର୍ଷ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବାର ଗୌରବ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁ ହେବାର ସ୍ୱପ୍ନକୁ ସାକାର କରିବ ଏବଂ ଏଥିରେ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିବ । ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇବା ପାଇଁ ଜି-୨୦ ସମ୍ମିଳନୀ ଆମ ପାଇଁ ଏକ ଅପୂର୍ବ ସୁଯୋଗ ଆଣି ଦେଇଛି ବୋଲି “ଜି-୨୦ ଯୁବ ଗୋଷ୍ଠୀ”ର କୋଷାଧ୍ୟକ୍ଷ ଓମ୍ ପ୍ରିୟଦର୍ଶୀ ଛୋଟରାୟ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ଅନୁଷ୍ଠିତ ‘ଜି-୨୦ ସମାବେଶ ଓ ଓଡିଶା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଛୋଟରାୟ କହିଛନ୍ତି ଯେ, ଗ୍ରୁପ ଅଫ ଟୋଂଟିଜ୍ ବା ଜି-୨୦ ସମ୍ମିଳନୀ ବର୍ଷ ତମାମ ଭାରତରେ ଅନୁଷ୍ଠିତ ହେଉଛି । ଏଥିରେ ବିଶ୍ୱର ପ୍ରମୁଖ ୨୦ଟି ସଦସ୍ୟ ରାଷ୍ଟ୍ର ସମେତ ମୋଟ୍ ୫୪ଟି ଦେଶର ଅର୍ଥମନ୍ତ୍ରୀ ଓ ବ୍ୟାଙ୍କ ଗଭର୍ଣ୍ଣର ଯୋଗ ଦେଉଛନ୍ତି । ଯେଉଁଥିରେ ଅର୍ଥନୈତିକ ବିଷୟ ଚର୍ଚ୍ଚା ହେବା ସହ ସମାଜର ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ତଥ୍ୟ ରଖାଯିବ । ଓଡିଶାରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରର ୩ଟି ସ୍ଥାନରେ ସମ୍ମିଳନୀ ଅନୁଷ୍ଠିତ ହେବ । ଶିକ୍ଷା, ଶକ୍ତି ଓ ସଂସ୍କୃତି ଉପରେ ଏହି ସମ୍ମିଳନୀରେ ଓଡ଼ିଶା ତାର ବାର୍ତା ଓ ପ୍ରସ୍ତାବ ରଖିବ । ରାଜ୍ୟରେ ହେବାକୁ ଥିବା ୩ଟି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ଜନତା ରାଜ୍ୟର ଗୌରବମୟ ସଂସ୍କୃତି, ପ୍ରାଚୀନ ଶିକ୍ଷାପଦ୍ଧତି ଓ ବିବିଧ ଶକ୍ତିର ବିକାଶର ବାର୍ତା ପଂହଚାଇବାକୁ ତତ୍ପର ହେବାର ସମୟ ଆସିଛି ବୋଲି ଶ୍ରୀ ଛୋଟରାୟ କହିଛନ୍ତି । ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା କହଛନ୍ତି ବହୁ ଅଳ୍ପ ସମୟ ମଧ୍ୟରେ ଏହି ବୈଶ୍ୱିକ ବ୍ୟାଧିରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦିଜୀ ବଳିଷ୍ଠ ପଦକ୍ଷେପ ନେଇପାରିଥିଲେ । ଯଦ୍ୱାରା ସାରା ବିଶ୍ୱ ଭାରତ ବର୍ଷକୁ ପ୍ରଶଂସା କରିଥିଲା ।
ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ ବୁଦ୍ଧିଜୀବୀ ପ୍ରକୋଷ୍ଠର ଏହି ଆଲୋଚନା ଚକ୍ରରେ ପ୍ରକୋଷ୍ଠର ସଂଯୋଜକ ସଜ୍ଜନ ଶର୍ମା ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରକୋଷ୍ଠର ସଦସ୍ୟ ପତଞ୍ଜଳୀ କରଶର୍ମା ଅତିଥି ପରିଚୟ ଦେଇଥିବାବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ କିଶୋର ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ଚକ୍ରରେ ରାଜ୍ୟର ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ ।
