“ପ୍ରଶାସନ ଗାଓଁ କି ଓର୍-୨୦୨୨’ : ଜିଲାସ୍ତରୀୟ ଗୁଡ୍ ଗଭର୍ଣ୍ଣାନ୍ସ ସପ୍ତାହ ପାଳନର କର୍ମଶାଳା
ବାଲେଶ୍ୱର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ “ଗୁଡ଼ ଗଭର୍ଣ୍ଣାନ୍ସ ସପ୍ତାହ’ ପାଳନ ହେଉଛି । ଦେଶବ୍ୟାପୀ “ପ୍ରଶାସନ ଗାଓଁ କି ଓର-୨୦୨୨’ କାର୍ଯ୍ୟକ୍ରମ ଆୟୋଜନର ଅଂଶବିଶେଷ ଏହି ସପ୍ତାହ ପାଳନ ଅବସରରେ ଏକ କର୍ମଶାଳା ଶୁକ୍ରବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଥିଲା । କର୍ମଶାଳାରେ ମୁଖ୍ୟତଃ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ ମୋତିରାମ, ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ, ଭାରତୀୟ ପ୍ରଶାସନିକ ସେବାର ପ୍ରୋବେସନର ସୁଶ୍ରୀ କିରଣଦୀପ କୌର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଲସେନ ଜଗଦେବ ଏବଂ କେନ୍ଦ୍ରୀୟ ସଚିବାଳୟ ସେବାରୁ ଆସିଥିବା ଅଧିକାରୀ ମଞ୍ଚାସୀନ ହୋଇ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
ଏହି ଦିନିକିଆ କର୍ମଶାଳାର ଆଭିମୁଖ୍ୟ ବର୍ଣ୍ଣନା କରି ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ପ୍ରଶାସନ ଜନସାଧାରଣଙ୍କର ଦ୍ୱାରଦେଶରେ ସୁଶାସନ ପହଞ୍ଚାଇବା ଉପରେ ଜୋର୍ ଦେଇଥିଲେ । ପ୍ରତ୍ୟେକ ବିଭାଗ କେବଳ ଉପରିସ୍ଥ ନିର୍ଦ୍ଦେଶରେ ନୁହେଁ ନିଜ ସ୍ତରରେ ଗୁଡ଼ ଗଭର୍ଣ୍ଣଓନ୍ସ ପାଇଁ କାର୍ଯ୍ୟ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ ।
କର୍ମଶାଳାର ମୁଖ୍ୟ ଦିଗ୍ ଦର୍ଶକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ ଯେ, ସୁଶାସନ ଯୋଗାଇଦେବା ପାଇଁ ପ୍ରଶାସନ ପାଖରେ ସବୁ ସମୟରେ ସୁବିଧା ନଥାଏ । ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ପ୍ରଶାସନ ଚଳାଇବାକୁ ପଡ଼ିଥାଏ । ମାତ୍ର ଅଧିକାରୀ ଓ କର୍ମଚାରୀମାନେ ସତ୍ ଉଦ୍ଦେଶ୍ୟ ଓ ମନୋବୃତ୍ତି ରଖି ପ୍ରଶାସନକୁ ଲୋକାଭିମୁଖୀ କରିବାର ଇଚ୍ଛାଶକ୍ତି ସହ କାର୍ଯ୍ୟ କରିବା ଉଚିତ୍, ଯଦ୍ୱାରା ଗୁଡ଼ ଗଭର୍ଣ୍ଣାନ୍ସ ଯୋଗାଇହେବ । ପ୍ରଶାସନରେ ୫ଟି ଓ ମୋ ସରକାର ପଦ୍ଧତି ପ୍ରୟୋଗ ନିଶ୍ଚିତ ଭାବରେ ସୁଶାସନର ଅଂଶବିଶେଷ । ରାଜସ୍ୱ ବିଭାଗର ଅନେକ ସେବାରେ ସଂସ୍କାର ଅଣାଯାଇଛି । ମ୍ୟୁଟେସନ, ବିଭିନ୍ନ ପ୍ରମାଣ ପତ୍ର ଆଦି ଅନଲାଇନ୍ରେ ଉପଲବ୍ଧ ହେଉଛି ଏବଂ ଶୀଘ୍ର ହୋଇପାରୁଛି । ନିୟମ, ପଦ୍ଧତି ଆଦିକୁ ସଠିକ୍ ଭାବେ ପାଳନ ପୂର୍ବକ ସମୟ ଅବଧି ମଧ୍ୟରେ ସେବା ଯୋଗାଇବା ହିଁ ସୁଶାସନ ବୋଲି ପ୍ରକାଶ କରିଥିଲେ ।
ଜିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପାୱାର ପଏଣ୍ଟରେ ଜିଲାରେ କାର୍ଯ୍ୟକାରୀ ସେବାରେ କିପରି ଗୁଡ଼ ଗଭର୍ଣ୍ଣାନ୍ସ ଯୋଗାଇ ଦିଆଯାଉଛି ତାହା ପ୍ରଦର୍ଶିତ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ବୈଷୟିକ ଜ୍ଞାନ ଓ କୌଶଳ ସହ ସ୍ୱ କୌଶଳ ଉପଯୋଗ କରି ଅନେକ କ୍ଷେତ୍ରରେ ସୁଶାସନର ନମୁନା ସୃଷ୍ଟି କରାଯାଇପାରିବ । ସୁବିଧାରେ ସୁଶାସନ ପ୍ରଦାନ କରିବା ନିମନ୍ତେ ନିଜ ସ୍ତରରେ ପଦକ୍ଷେପ ନେବା ଜରୁରୀ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଡେପୁଟି କଲେକ୍ଟର ସିତାଂଶୁ ଦାସ କର୍ମଶାଳା ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ ।
ପ୍ରକାଶ ଥାଉକି ଗୁଡ଼ ଗଭର୍ଣ୍ଣାନ୍ସ ସପ୍ତାହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲାର ସମସ୍ତ ତହସିଲ ଓ ବ୍ଲକରେ ପାଳନ କରାଯାଉଛି । କର୍ମଶାଳାରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଜିଲା ଜରୁରକାଳୀନ ଅଧିକାରୀ ସୁଶ୍ରୀ ରିଜ୍ୱାନା କୱକବ, ପୋଲିସ ବିଭାଗ ଅଧିକାରୀ, ଜିଲାର ସମସ୍ତ ତହସିଲ ଓ ବ୍ଲକର ତହସିଲଦାର ତଥା ବିଡ଼ିଓ ମାନେ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
