ସର୍ଭରକୁ ନେଇ ବାତିଲ୍ ହେଲା ଜେଲ ୱାର୍ଡ଼ର ପରୀକ୍ଷା, ୨୮ରେ ପୁନଃ ପରୀକ୍ଷା
ନୀଳଗିରି : ଜେଲ ୱାର୍ଡ଼ରେ ପରୀକ୍ଷାରେ ସର୍ଭରକୁ ନେଇ ବିଭ୍ରାଟ । ଶେଷରେ ବାତିଲ୍ ହେଲା ପରୀକ୍ଷା । ଫଳରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । କର୍ତ୍ତୃପକ୍ଷଙ୍କ ଆସନ୍ତା ୨୮ତାରିଖରେ ପୁନଃ ପରୀକ୍ଷା ହେବା ନେଇ ପ୍ରତିଶ୍ରୁତି ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।
ଓଡ଼ିଶା ପ୍ରିଜନ୍ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ଅନୁଷ୍ଠିତ ଜେଲ ୱାର୍ଡର ପରୀକ୍ଷା ଗୁରୁବାର ନୀଳଗିରି ସ୍ଥିତ ଆର୍କେସିଏଟି ପରିସର ଅନୁଷ୍ଠିତ ହେବାର ଥିଲା । ୨ଗୋଟି ସିଟିଂରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଦେବା ପାଇଁ ପ୍ରାୟ ୨୩୦ପିଲା ପ୍ରଥମ ସିଟିଂ ପରୀକ୍ଷା ଦେବାକୁ ହଲକୁ ପଶିଥିଲେ । ମାତ୍ର ସର୍ଭର ପ୍ରୋବ୍ଲେମ ଥିବାରୁ ପରୀକ୍ଷା ସଠିକ୍ ଟାଇମରେ ଅନୁଷ୍ଠିତ ହୋଇ ପାରି ନ ଥିଲା । ଫଳରେ ପରୀକ୍ଷା ହଲରେ ଉତ୍ତେଜନା ଦେଖାଦେଇଥିଲା । କିଛି ପିଲା ୨୦ମିନିଟ୍ ଆଉ କିଛି ପିଲା ୪୦ ମିନିଟ୍ ପରୀକ୍ଷା ଦେଇଥିବା ବେଳେ ୨ଘଣ୍ଟାର ପରୀକ୍ଷା ସମୟଥିଲା । ଏ ନେଇ ପ୍ରଥମ ସିଟିଂ ପିଲା ଗଣ୍ଡଗୋଳ କରିବାରୁ ଦ୍ୱିତୀୟ ସିଟିଂ ପିଲାମାନେ ମଧ୍ୟ ପରୀକ୍ଷା ଦେଇ ପାରି ନ ଥିଲେ । ପରେ ଉଭୟ ପରୀକ୍ଷାକୁ ବାତିଲ୍ କରି ଆସନ୍ତା ୨୮ତାରିଖ ପରୀକ୍ଷା ହେବାକୁ କର୍ତ୍ତୁପକ୍ଷ ପିଲାମାନଙ୍କୁ ଲିଖିତ ପ୍ରତିଶୃତି ଦେବା ପରେ ଘଟଣା ପ୍ରଶମିତ ହୋଇଥିଲା । ଉତ୍ତେଜନାସ୍ଥଳରେ ପୋଲିସ ମୁତୟନ ଯୋଗୁଁ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଥିଲା ।
