କ୍ଷୁଦ୍ର ଉଦ୍ୟୋଗ ବିକାଶ ସମବାୟ ସମିତିର ତ୍ରୟୋଦଶ ସାଧାରଣ ସଭା
ବାଲେଶ୍ୱର : ବାଲେଶ୍ୱର ସହର ହେମକାପଦା ସ୍ଥିତ ରୟାଲ କଲ୍ୟାଣମଣ୍ଡପରେ କ୍ଷୁଦ୍ର ଉଦ୍ୟୋଗ ବିକାଶ ସମବାୟ ସମିତିର ତ୍ରୟୋଦଶ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାଲେଶ୍ୱର କୋ-ଅପରେଟିଭ୍ ଡିଭିଜନ୍ର ଡିଆର୍ସିଏସ୍ ସୀତାପତି କରୁଣାକର ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଓ କ୍ଷୁଦ୍ର ଉଦ୍ୟୋଗ ବିକାଶ ସମବାୟ ସମିତିର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ସାଧାରଣ ସଭାରେ ଦୁଇଶହ ସ୍ୱୟଂ ସହାୟକ ଗୋଷ୍ଠୀର ୫ଶହରୁ ଉର୍ଦ୍ଧ୍ୱ ମହିଳା ସଦସ୍ୟାମାନେ ଯୋଗଦେଇଥିଲେ ।
ସମବାୟବିତ୍ ଓ ସମାଜସେବୀ ଅରୁଣ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଜୟ ସାମଲ ଓ କୃଷ୍ଣ ଗୋପାଳ ପଣ୍ଡା ଉପସ୍ଥିତ ଥିଲେ । ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମିତିର ଉପସଭାନେତ୍ରୀ ବବିତା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳକ ସୁରେନ୍ଦ୍ର ନାଥ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
