ବାଲେଶ୍ୱର ମଡର୍ଣ୍ଣ ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ, ଅଂଶଗ୍ରହଣ କଲେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
ବାଲେଶ୍ୱର : ବାଲେଶ୍ୱର ମଡ଼ର୍ଣ୍ଣ ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ତଥା କୁଇଜ୍ ପ୍ରତିଯୋଗିତା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହିତ ପ୍ରଦର୍ଶନୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣିତ ଏବଂ ବିଜ୍ଞାନ ଶିକ୍ଷା ସହିତ ଅନ୍ୟାନ୍ୟ ଶିକ୍ଷଣୀୟ ବିଷୟ ପ୍ରତି ଆଗ୍ରହ ବୃଦ୍ଧିରେ ଏହି ପ୍ରଦର୍ଶନୀ ବେଶ ସହାୟକ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ । ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହିତ ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଜ୍ଞାନ ଏବଂ ଗଣିତର ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷାଗ୍ରହଣ କ୍ଷେତ୍ରରେ ସଫଳତା ଅର୍ଜନ ସହ ରାଷ୍ଟ୍ର ନିର୍ମାଣରେ ଏହାର ଉପଯୋଗ ପାଇଁ ବିଜ୍ଞାନ ଏବଂ ଗଣିତ ବିଷୟରେ କୃତିତ୍ୱ ହାସଲ ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।
ଜିଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକମାନେ ଏଥିରେ ଯୋଗଦେଇ ପ୍ରଦର୍ଶନୀର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ପ୍ରଦର୍ଶନୀରେ ୯ଟି ବିଭାଗରେ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ପର୍ଯ୍ୟବେକ୍ଷକମାନେ ପ୍ରଦର୍ଶନୀର ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ଛାତ୍ରୀଛାତ୍ରଙ୍କ ସହ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରୀଛାତ୍ରମାନେ ସେମାନଙ୍କ ପ୍ରକଳ୍ପର ବୈଶିଷ୍ଟ ଓ ଉପାଦେୟତା ସମ୍ପର୍କରେ ପ୍ରାଞ୍ଜଳଭାବେ ବୁଝାଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟଙ୍କ ସମେତ ଶିକ୍ଷୟତ୍ରୀ, ଶିକ୍ଷକ ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
