ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର କାର୍ଯ୍ୟାନ୍ୱୟନ ପାଇଁ ପଶ୍ଚିମବଙ୍ଗର ସାଂସଦ ଓ ସମାଜସେବୀଙ୍କ ସହ ସାକ୍ଷାତ ଆଲୋଚନା
ବାଲେଶ୍ୱର : ରାଷ୍ଟ୍ରୀୟ ଜଳପଥ ନଂ୫ରେ ଅନ୍ତର୍ଭୁକ୍ତ ଓଡ଼ିଶା କୋଷ୍ଟ କେନାଲ ଓ ପଶ୍ଚିମବଙ୍ଗର ହିଜିଲି ଟାଇଡ଼ାଲ କେନାଲର ପୁନଃରୁଦ୍ଧାର କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶା କୋଷ୍ଟ କେନାଲର କାର୍ଯ୍ୟକର୍ତ୍ତା ଶୁଭଙ୍କର ମହାପାତ୍ର, ତ୍ରିଭୁବନ ଦାଶ, କମଳଲୋଚନ ଦାସ ଖଡ଼ଗପୁର ଠାରେ ପଶ୍ଚିମବଙ୍ଗ ମେଦିନାପୁରର ଏମ୍ପି ଦିଲ୍ଲୀପ ଘୋଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗର ଦେଓଖାଲିରୁ ଭଦ୍ରକର ଚାରବାଟିଆ ପର୍ଯ୍ୟନ୍ତ ୨୧୭ କିମି ଲମ୍ବିଥିବା ବ୍ରିଟିଶ ସରକାରଙ୍କ ସମୟରେ ଖୋଳା ଯାଇଥିବା କେନାଲ ଦ୍ୱାରା ଦୁଇ ପ୍ରଦେଶରେ ଗମନାଗମନ, ପରିବହନ, ବାଣିଜ୍ୟ, ଜଳସେଚନ ପ୍ରଭୃତି ବହୁବିଧ କାର୍ଯ୍ୟ ସଂପାଦନ ହେଉଥିଲା । ପରବର୍ତ୍ତୀ କାଳରେ ଏହା ଅବ୍ୟବହୃତ ଓ ଅବହେଳିତ ହୋଇ ନଷ୍ଟ ହେବାକୁ ବସିଛି । ଏହାର ପୁନଃରୁଦ୍ଧାର ହେଲେ ଦୁଇ ପ୍ରଦେଶର ବହୁ ଜିଲାରେ ବ୍ୟାପକ ଅର୍ଥନୈତିକ ଏବଂ ସାଂସ୍କୃତିକ ଅଭିବୃଦ୍ଧି ଘଟିବ । ଏ ଦିଗରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ଏହି କେନାଲର ପୁନଃରୁଦ୍ଧାର ନିମନ୍ତେ ଦୃଢ଼ ଦାବି ଜଣାଇଛନ୍ତି । ପଶ୍ଚିମବଙ୍ଗ ଏମ୍ପିଙ୍କୁ ଅବଗତ କରିବା ନିମନ୍ତେ ଏଗ୍ରା, ବେଲଦା ଓ କଣ୍ଟାଇ ଅଞ୍ଚଳର ବହୁ ସମାଜସେବୀଙ୍କ ସହ କାନ୍ଥି ଠାରେ ଏକ ଆଲୋଚନା ମଧ୍ୟ କରାଯାଇଥିଲା । ପଶ୍ଚିମବଙ୍ଗ ତରଫରୁ କେନାଲର ପୁନଃରୁଦ୍ଧାର ନିମନ୍ତେ ଜନ ସଚେତନତା ଓ ଦୃଢ଼ ଦାବି ସୃଷ୍ଟି କରିବା ସଂଗେ ସଂଗେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦୃଢ଼ ଦାବି ଜଣାଇବା ନିମନ୍ତେ ଏକ ବୈଠକ କରାଯାଇଥିଲା । ବୈଠକରେ ସମାଜସେବୀ ସୁକୁମାର ରାୟ, ସୁଦାମ ପଣ୍ଡିିତ, ଅନୁପବାବୁ ପ୍ରମୁଖ ଯୋଗଦେଇ ଏହାକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ପାଇଁ ମତପ୍ରକାଶ କରିଥିଲେ ।
