ଆପଦା ମିତ୍ର ଦକ୍ଷତା ବୃଦ୍ଧି ତାଲିମ୍ର ଦ୍ୱିତୀୟ ଦଫା ଶିବିର
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ଗ୍ରାମ ପଞ୍ଚାୟତର ପାଖର ସାଉଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଚାଳନାରେ ୧୨ଦିନିଆ ଦ୍ୱିତୀୟ ଦଫା ଆବାସିକ ‘ଆପଦା ମିତ୍ର’ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରର ମୁଖ୍ୟ ଆଭିମୁଖ୍ୟ ଥିଲା ଆପଦା ମିତ୍ର ବା ବିପର୍ଯ୍ୟୟ ଯୋଦ୍ଧା ତିଆରି କରିବା । ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ସମୟରେ ତୃଣମୂଳସ୍ତରରେ ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆପଦା ମିତ୍ରମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ ପ୍ରଦାନ କରାଯାଇଥିଲା । ଦୀର୍ଘ ୧୨ ଦିନ ଧରି ଚାଲିଥିବା ଏହି ଆବାସିକ ତାଲିମ ଶିବିରରେ ରେମୁଣା ଓ ବାହାନଗା ବ୍ଲକର ୪୦ ଜଣ ‘ଆପଦା ମିତ୍ର’ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୨୫ଜଣ ମହିଳା ଥିଲେ । ଶିବିରରେ ସେମାନଙ୍କୁ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରେ ନେବାକୁ ଥିବା ବିଭିନ୍ନ ପ୍ରକାରର ଜୀବନ ରକ୍ଷାକାରୀ କୌଶଳ, ଅନୁସନ୍ଧାନ କୌଶଳ, ଉଦ୍ଧାର କୌଶଳ, ନୌଚାଳନା କୌଶଳ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଓଡ଼ରାଫ୍, ଅଗ୍ନିଶମ ବିଭାଗ ଓ ସିଭିଲ ଡିଫେନ୍ସରୁ ଆସିଥିବା ତାଲିମଦାତାମାନେ ତାଲିମ ପ୍ରଦାନ କରିଥିଲେ । ତାଲିମ ଶିବିରର ଅନ୍ତିମ ଦିବସରେ ସମସ୍ତ ଆପଦା ମିତ୍ର ମାନଙ୍କର ଲିଖିତ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସମସ୍ତେ କୃତକାର୍ଯ୍ୟ ହୋଇଥିଲେ । ସମସ୍ତ କୃତୀ ପରୀକ୍ଷାର୍ଥୀଙ୍କୁ ଜିଲା ଜରୁରୀ ଅଧିକାରୀ ସୁଶ୍ରୀ ରିଜୱାନା କୱକବ ଓ ଜିଲା ଭୂ-ଅର୍ଜନ ଅଧିକାରୀ ରଘୁନାଥ ଟୁଡୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ପର୍ବ ଅବସରରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୩ଜଣ ଯଥା, ସିପ୍ତୀବାଳା ମଲିକ, ତନୁଶ୍ରୀ ସେନ୍ ଏବଂ ଜସ୍ମିନ ନାୟକ ପ୍ରମୁଖଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ଓ ୫ ଜଣ ଶ୍ରେଷ୍ଠ ଆପଦା ମିତ୍ର ସ୍ୱେଚ୍ଛାସେବୀ ଯଥା, ଦେବଦତ୍ତ ଆଚାର୍ଯ୍ୟ, ରୋଜାଲିନ ଦାସ, ସତ୍ୟରଞ୍ଜନ ରାଉତ, ମୋନାଲିସା ସେଠୀ ଏବଂ ଲିପକ ବେହେରା ପ୍ରମୁଖଙ୍କୁ ମଧ୍ୟ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦ୍ୱାଦଶ ଦିବସୀୟ ତାଲିମ୍ ଶିବିରକୁ ଜିଲା ପ୍ରଶାସନ ତରଫରୁ ଜିଲା ପ୍ରକଳ୍ପ ଅଧିକାରୀ ନିମାଇଁ ଚରଣ ଦାସ ଓ ୟୁନିସେଫ ଜିଲା ସଂଯୋଜକ ପ୍ରଦୀପ କୁମାର ପାତ୍ର ସୁଚାରୁ ରୂପେ ପରିଚାଳନା କରିଥିଲେ ।
