ଶୈଳେନ୍ଦ୍ରନାଥ ହତ୍ୟା ଘଟଣା, ଥାନାରେ ଆତ୍ମସମର୍ପଣ କଲେ ଦୁଇ ଅଭିଯୁକ୍ତ
ଓଡ଼ଗାଁ : କଟକରୁ ନିଖୋଜ ହୋଇଥିବା ୱେବ୍ ଚ୍ୟାନେଲ୍ ସାମ୍ବାଦିକ ତଥା କେନ୍ଦ୍ରାପଡ଼ା ପାଟକୁରାର ଦୋଳଗୋବିନ୍ଦ ଜେନାଙ୍କ ପୁତ୍ର ଶୈଳେନ୍ଦ୍ରନାଥ ଜେନାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ। ଉଭୟେ ସମ୍ପର୍କରେ ବାପ ଓ ପୁଅ। ଓଡ଼ଗାଁ ଥାନାର ବାହାଡ଼ାଝୋଲା ଫାଣ୍ଡିରେ ମୁଖ୍ୟ ଅଭିଯୁକ୍ତ ଦୀପୁ ସାହୁ ଓ ତାର ବାପା ଭାବ ସାହୁ ଗୁରୁବାର ଭୋର ସମୟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଉଭୟଙ୍କୁ ଓଡ଼ଗାଁ ଥାନାକୁ ଆଣି ପଚରାଉଚରା କରୁଥିବାର ଜଣାପଡିଛି।
ସୂଚନା ଯେ, ଗତ ୩ ତାରିଖରେ ଶୈଳେନ୍ଦ୍ର ନୟାଗଡ଼ ମହିପୁରର ଦହିବରା ବ୍ୟବସାୟୀ ଦୀପୁର ଘରକୁ ଯାଇଥିଲେ। ସେବେଠାରୁ ଆଉ ଫେରି ନଥିଲେ। ଶୈଳେନ୍ଦ୍ର ରାତି ପ୍ରାୟ ୯ଟା ୩୦ ବେଳେ ପହଞ୍ଚିବା ପରେ ସେଠାରେ ଦୀପୁ ସମେତ ତାଙ୍କ ବାପା, ପତ୍ନୀ ଓ ଅନ୍ୟ ଜଣେ ବନ୍ଧୁ ମିଶି ଲୁହାରଡରେ ତାଙ୍କୁ ପିଟିପଟି ହତ୍ୟା କରିଥିବା କୁହାଯାଉଛି। ହତ୍ୟା କରାଯିବା ପରେ ଘର ଭିତରେ ଶୈଳେନ୍ଦ୍ରଙ୍କ ପୋଷାକ ପୋଡ଼ିବା ସହିତ ତାଙ୍କ ମୋବାଇଲ ଭାଙ୍ଗି ଗୁଣ୍ଡ କରି ଦେଇଥିଲେ। ଅଭିଯୁକ୍ତମାନେ ନିଜ ନିଜ ମୋବାଇଲ୍ ଫୋନ୍ ବି ଭାଙ୍ଗିଦେଇଥିବା କୁହାଯାଉଥିଲା। ପ୍ରଥମେ ଘର ଭିତରେ ପୋତିବାକୁ ଗାତ ଖୋଳିଥିଲେ। ପରେ କିନ୍ତୁ ଯୋଜନା ବଦଳାଇ ତାଙ୍କ ଶବକୁ ଘରଠାରୁ ୪ କିମି ଦୂର ଏକ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଏକ ପାଳ ଗଦା ନିକଟରେ ତାଙ୍କୁ ପୋଡ଼ି ଦେଇଥିଲେ। ପୋଡ଼ିଲା ପରେ ମୁଣ୍ଡ ଖପୁରୀ ଓ ହାଡ଼ ଭାଙ୍ଗି ଏହି ଗୁଣ୍ଡକୁ ପୋଖରୀରେ ପକାଇଥିବା ସମ୍ପର୍କରେ ଦୀପୁର ପତ୍ନୀ ନୂଆଗାଁ ଥାନା ପୋଲିସ ସାମ୍ନାରେ ସ୍ବୀକାର କରିଥିଲା। ଦୀପୁର ପତ୍ନୀ ସୁନୀତା ସାହୁ ଓ ଗ୍ୟାରେଜ ମିସ୍ତ୍ରି ସୁରି ଓରଫ ସୁରେଶ ସାହୁକୁ ପୋଲିସ କାବୁ କରିଥିଲା। ଏହି ହତ୍ୟାକାଣ୍ଡ ପରେ ସମ୍ପୃକ୍ତ ଦୀପୁ ଓ ତା’ ବାପା ଭାବ ସାହୁ ଫେରାର୍ ଥିଲେ।
