୨୩ରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ
୧୬୩ଜଣଙ୍କୁ ପିଏଚ୍ଡି ଡିଗ୍ରି ଓ ୯୯ଜଣଙ୍କୁ ସ୍ୱର୍ଣ୍ଣ ପଦକ
ଭୁବନେଶ୍ୱର : ଆସନ୍ତା ୨୩ରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ୧୬୩ଜଣଙ୍କୁ ପିଏଚ୍ଡି ଡିଗ୍ରି ଓ ୯୯ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଜଣେ ଲେଖାଏ ଛାତ୍ର/ଛାତ୍ରୀଙ୍କୁ ଡିଏସି ଓ ଡିଲିଟ ଡିଗ୍ରି ଦିଆଯିବ। ଏଥିସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।
ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଲ ଗୌଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ୫୨ତମ ସମାବର୍ତ୍ତନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, କୁଳସଚିବ ଅଭୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିବେ। ଏଥିସହ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଓ ଏକାଡେମିକ କାଉନସିଲ୍ ସଦସ୍ୟ, ଡିନ, ପ୍ରଫେସର, କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
